ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସମବାୟ ଋଣ ସଂସ୍ଥାଗୁଡ଼ିକର ଋଣ ପ୍ରଦାନ କ୍ଷମତା ବୃଦ୍ଧି ହେବ, ଖର୍ଚ୍ଚ ହେବ ୯୫୦ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କୃଷି ଓ କୃଷକଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି ସମବାୟ ଋଣ ସଂସ୍ଥାଗୁଡ଼ିକର ଋଣ ପ୍ରଦାନ କ୍ଷମତା ବୃଦ୍ଧି ହେବ । ଏଥିସହିତ ଏହି ସଂସ୍ଥାଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ୨୦୨୩-୨୪ରୁ ୨୦୨୭-୨୮ ମସିହା ପର୍ଯ୍ୟନ୍ତ ‘ସମବାୟ ଋଣ ସଂସ୍ଥାଗୁଡ଼ିକୁ ଶେୟାର ପୁଞ୍ଜି ବିନିଯୋଗ’ କାର୍ଯ୍ୟକାରୀ କରିବେ । ଏଥିପାଇଁ ୯୫୦ କୋଟି ଟଙ୍କା ବିନିଯୋଗ କରାଯିବ ।

ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା କାର୍ଯ୍ୟକାରୀ ହେବ । ଏହା ଦ୍ୱାରା କୃଷକମାନଙ୍କୁ ଅଧିକରୁ ଅଧିକ ଋଣ ପ୍ରଦାନ କରାଯାଇ ପାରିବ ବୋଲି ଆଶା କରାଯାଉଛି । ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ଥିବା ସମସ୍ତ କୃଷି ସମବାୟ ସଂସ୍ଥା ଶୀର୍ଷ ସଂସ୍ଥାମାନଙ୍କଠାରୁ ଅଧିକ ଋଣ ଆଣି କୃଷି କାର୍ଯ୍ୟ ପାଇଁ ଋଣ ପ୍ରଦାନ କରିପାରିବେ । ଏହା ରାଜ୍ୟର କୃଷି ଉତ୍ପାଦନରେ ସହାୟକ ହୋଇ ପାରିବ ।

ସାଧାରଣ ଭାବେ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କଗୁଡ଼ିକ ଜମା ସଂଗ୍ରହ କ୍ଷେତ୍ରରେ ଅଗ୍ରଣୀ ରହିଥିବା ବେଳେ କୃଷି କ୍ଷେତ୍ରରେ ଋଣ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଥାନ୍ତି । ଏହି କ୍ଷେତ୍ରରେ ଅନିଶ୍ଚିତତା ଉପରେ ନିର୍ଭରଶୀଳ ରହିବା ସହିତ ଅଧିକ ଏନପିଏ ହେବାର ଆଶଙ୍କା ରହିଥାଏ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଜସ୍ୱ ସମବାୟ ଅନୁଷ୍ଠାନ ଓ ସମବାୟ ବ୍ୟାଙ୍କକୁ କୃଷି ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ପ୍ରୟାସରତ ରହିଛନ୍ତି । ଏହି ଯୋଜନା ଦ୍ୱାରା ସମବାୟ ଅନୁଷ୍ଠାନମାନେ କୃଷି ଋଣ ପ୍ରଦାନରେ ସକ୍ଷମ ହୋଇ ପାରିବେ ବୋଲି ରାଜ୍ୟ ସରକାର ଆଶା ପୋଷଣ କରିଛନ୍ତି । କିଷାନ କ୍ରେଡିଟ କାର୍ଡ ଯୋଜନା ଅଧିନରେ ରାଜ୍ୟର ସମସ୍ତ କୃଷକ ପରିବାରଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରୀ ନୀତିକୁ ଦୃଷ୍ଟିରେ ରଖି ପାକ୍ସ, ଲାମ୍ପସ ଓ ଡିବିସିର ଆର୍ଥିକ ସ୍ଥିତିକୁ ମଜବୁତ କରାଯିବ । ଅନ୍ୟ ଶୀର୍ଷ ଆର୍ଥିକ ସଂସ୍ଥାଗୁଡ଼ିକ ଠାରୁ ପର୍ଯ୍ୟାପ୍ତ ମାତ୍ରାରେ ଋଣ ଉଠାଇ କୃଷକମାନଙ୍କୁ ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.