ରାଜ୍ୟ ସରକାର ଲାଗୁ କରିବେ ‘OTS’ ବ୍ୟବସ୍ଥା: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିଦିନ ରାସ୍ତାରେ ଶହ ଶହ ବାଇକ, କାର ଆଦି ବିଭିନ୍ନ ପ୍ରକାରର ଯାନବାହନ ଚଳପ୍ରଚଳ କରୁଛି । ତେବେ ଅନେକ ସମୟରେ ଟ୍ରାଫିକ ନିୟମ ଅବମାନନା କାରଣରୁ ଅନେକ ବଡ଼ ବଡ଼ ଦୁର୍ଘଟଣା ଘଟିବା ସହ ବହୁ ନିରୀହ ଲୋକଙ୍କ ଜୀବନ ଅକାଳରେ ଚାଲିଯାଇଥାଏ । ସେଥିପାଇଁ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ରାଜ୍ୟ ସରକାର ନିୟମିତ ଭାବେ ପଦକ୍ଷେପ ଗ୍ରହଣ କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ ନିୟମ ଅବମାନନା କରୁଥିବା ଚାଳକଙ୍କ ନିକଟକୁ ଇ-ଚାଲାଣ ମାଧ୍ୟମରେ ଜରିମାନା ପହଞ୍ଚୁଛି ।

ତେବେ ଆଗାମୀ ଦିନମାନଙ୍କରେ ଗାଡ଼ି ଚାଳକମାନଙ୍କୁ ମିଳିବାରେ ବଡ଼ ଆଶ୍ୱସ୍ତି । ରାଜ୍ୟ ସରକାର ଅ।।ମୀ ଦିନରେ ୱାନ୍ ଟାଇମ୍ ସେଟେଲମେଣ୍ଟ (ଓଟିଏସ) ବ୍ୟବସ୍ଥା ଆଣିପାରନ୍ତି । ଟ୍ରାଫିକ ନିୟମକୁ ସରକାରଙ୍କ ପକ୍ଷରୁ ଅଧିକ କଡ଼ାକଡ଼ି କରାଯିବା ସହ ଚାଲାଣ ଅର୍ଥ ଆଦାୟ ପାଇଁ କୋର୍ଟରୁ ସମନ ପଠାଯିବ । ଗତ ୪ ବର୍ଷ ମଧ୍ୟରେ ଇ-ଚାଲାଣ ବାବଦ ଅର୍ଥକୁ ଓଟିଏସ୍ ଜରିଆରେ ଆଦାୟ କରାଯିବ ବୋଲି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି ।
ରାଜ୍ୟ ପରିବହନ ବିଭାଗର ତଥ୍ୟ ମୁତାବକ, ଗତ ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ଇ-ଚାଲାଣ ବାବଦକୁ ଅର୍ଥ ଆଦାୟ ହୋଇ ନପାରି ୧୨୧୫ କୋଟି ଟଙ୍କା ପଡ଼ି ରହିଛି । ୨୯ ଲକ୍ଷ ୭୭ ହଜାର ୭୧୮ଟି ଇ-ଚାଲାଣ ବାବଦରେ ଅର୍ଥକୁ ଗାଡ଼ି ମାଲିକମାନେ ଦାଖଲ କରିନାହାନ୍ତି । ତେଣୁ ଏହି ବିପୁଳ ପରିମାଣର ଅନାଦେୟ ଜରିମାନା ଅର୍ଥ ଆଦାୟ କରିବାକୁ ରାଜ୍ୟ ସରକାର ଓଟିଏସ୍ ବ୍ୟବସ୍ଥା ଆପଣାଇବାକୁ ପରିକଳ୍ପନା କରିଛନ୍ତି ।