fbpx

ରାଜ୍ୟରେ ଖୋଲିବ ୨୪ଟି ନୂଆ ଆଇଟିଆଇ କଲେଜ, କର୍ମଜୀବୀ ମହିଳାଙ୍କ ପାଇଁ ନିର୍ମାଣ ହେବ ହଷ୍ଟେଲ

ଭୁବନେଶ୍ୱର(ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ୪୯ଟି ସରକାରୀ ଆଇଟିଆଇ କଲେଜ ରହିଥିବା ବେଳେ ୪୪୮ ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ପିଲାଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ୍ କରୁଛି । ତାଲିମ ଦେବା ଉପରେ ପ୍ରାଧାନ୍ୟ ଦେଉଛି ବିଭାଗ। ରାଜ୍ୟରେ ୨୪ଟି ନୂଆ ଆଇଟିଆଇ କଲେଜ ଖୋଲିବ । ବିଧାନସଭାର ପ୍ରଶ୍ନକାଳ ଆଲୋଚନା ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଏହି ସୂଚନା ଦେଇଛନ୍ତି ।

ଅନ୍ୟପଟେ, କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି । ସୁନ୍ଦରଗଡ, ଯାଜପୁର, ଖୋର୍ଦ୍ଧାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ରହ୍ମପୁର ଓ ରାୟଗଡ଼ାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। କେଉଁଠାରେ ହଷ୍ଟେଲ ଆବଶ୍ୟକ ରହିଛି ସମସ୍ତ ଜିଲ୍ଲା ପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି। ୧୧ ଟି ଶିଳ୍ପାଞ୍ଚଳରେ କେନ୍ଦ୍ରୀୟ ଯୋଜନାରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି । କଟକରେ ବକ୍ସିବଜାର, ବଜ୍ରକବାଟି ରୋଡ଼ ସହ ୪ ଟି ସ୍ଥାନରେ କର୍ମଜୀବୀ ମହିଳାଙ୍କ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ଥିବା ବେଳେ ଆବଶ୍ୟକତା ଦୃଷ୍ଟିରୁ ହଷ୍ଟେଲ ନିର୍ମାଣ କରାଯିବ। ତେବେ ଏନେଇ ବିଧାନସଭାରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଉତ୍ତର ରଖିଛନ୍ତି ।

ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ କର୍ମଜୀବୀ ମହିଳା ହଷ୍ଟେଲ ଗଠନ ନେଇ ରିପୋର୍ଟ ମଗାଯାଇଛି । ଆବଶ୍ୟକତା ଅନୁଯାୟୀ ଜିଲ୍ଲାପାଳ ମାନେ ରିପୋର୍ଟ ଦେବା ପରେ ହଷ୍ଟେଲ ନିର୍ମାଣ ପାଇଁ ବିଭାଗ ପଦକ୍ଷେପ ନେବ । ୩୫ ହଜାର ତଳେ ଦରମା ପାଉଥିବା କର୍ମଜୀବୀ ମହିଳା ମାନେ ଏହି ହଷ୍ଟେଲରେ ରହିବେ । ହଷ୍ଟେଲର ପରିଚାଳନା ପାଇଁ ଜିଲ୍ଲାପାଳ କମିଟି ଗଠନ କରିବେ । ଏହି କମିଟି ହଷ୍ଟେଲର ପରିଚାଳନା କରିବେ ।

ସେହିପରି ୪ ଟି ଜିଲ୍ଲାରେ ନୂଆ ପ୍ଲାନେଟୋରିଅମ କାର୍ୟ୍ୟ ଚାଲିଛି । ବାରିପଦା, କେଉଁଝର, ରାୟଗଡା, ବଲାଙ୍ଗୀରରେ ପ୍ଲାନେଟୋରିଅମ ନିର୍ମାଣ କାର୍ୟ୍ୟ ଚାଲିଛି। ବର୍ତ୍ତମାନ ଭୁବନେଶ୍ୱର ଓ ବୁର୍ଲା ରେ ପ୍ଲାନେଟୋରିଅମ ଅଛି। ଅନ୍ୟ ଜିଲ୍ଲାରେ ପ୍ଲାନେଟୋରିଅମ ଓ ବିଜ୍ଞାନ ପାର୍କ ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ। ବିଧାନସଭାରେ ଏହି ପରିପ୍ରେକ୍ଷୀରେ ଉତର ରଖିଛନ୍ତି ବିଜ୍ଞାନ ଓ କାରୀଗରୀ ମନ୍ତ୍ରୀ ।

Get real time updates directly on you device, subscribe now.