fbpx
BSKY
BJD MC SKY
BJD MS SKY

ଋଣରେ ପୂର୍ବରୁ ଦବି ରହିଥିବା ରାଜ୍ୟ ପୁଣି ଥରେ ନେବେ ୨.୧୨ ଲକ୍ଷ କୋଟି ଋଣ, ଚିନ୍ତାରେ ଆରବିଆଇ

ନୂଆଦିଲ୍ଲୀ: ନିଜ ଖର୍ଚ୍ଚ ପୂରଣ ପାଇଁ ଚଳିତ ତ୍ରୈମାସରେ ୨.୧୨ ଲକ୍ଷ କୋଟି ଟଙ୍କା ବଜାରରୁ ଧାର ନେବେ ରାଜ୍ୟ ସରକାର। ଏହାର ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ରାଜ୍ୟଗୁଡିକ ଏମିତି ଋଣ ନେବା ନେଇ ଚିନ୍ତିତ ଆରବିଆଇ। କାରଣ ରାଜ୍ୟ ଉପରେ ଋଣଭାର ବଢିବାରେ ଲାଗିଛି। ପୂର୍ବରୁ ଋଣଭାରରେ ଦବି ରହିଥିବା ରାଜ୍ୟ ପୁଣି ଥରେ ଋଣ ନେବା ଆର୍ଥିକ ଦୃଷ୍ଟିରୁ ଶୁଭଙ୍କର ନୁହେଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି।

ଆରବିଆଇ ଅନୁସାରେ, ଜୁଲାଇ-ସେପ୍ଟେମ୍ବରରେ ବଣ୍ଡ ଜରିଆରେ ରାଜ୍ୟ ସରକାର ୨.୧୨ ଲକ୍ଷ କୋଟି ଟଙ୍କାର ଋଣ ବଜାରରୁ ଉଠାଇବେ। ଗତ ବର୍ଷ ସମାନ ତ୍ରୈମାସରେ ସଂଗୃହୀତ ମୋଟ୍ ରାଶିଠୁ ପ୍ରାୟ ୨୯ ପ୍ରତିଶତ ଅଧିକ। ଏପ୍ରିଲ-ଜୁନରେ ରାଜ୍ୟଗୁଡିକ ୧.୧ ଲକ୍ଷ କୋଟି ଟଙ୍କା ବଜାରରୁ ଋଣ କରିଥିଲେ।

ଆରବିଆଇ କହିଛି, ଚଳିତ ତ୍ରୈମାସରେ ବଣ୍ଡ ଜରିଆରେ ରାଶି ଯୋଗାଡ କରାଯିବାର ପ୍ରକ୍ରିୟା ଆସନ୍ତା ସପ୍ତାହରୁ ଆରମ୍ଭ ହୋଇଯିବ। ବଣ୍ଡର ପ୍ରଥମ ନିଲାମ ମଙ୍ଗଳବାର କରାଯିବ। ଏହା ଜରିଆରେ ରାଜ୍ୟ ଜୁଲାଇ ମାସରେ ୬୨,୬୪୦ କୋଟି, ଅଗଷ୍ଟରେ ୮୧,୫୮୨ କୋଟି ଏବଂ ସେପ୍ଟେମ୍ବରରରେ ୬୭,୩୩୦ କୋଟି ଟଙ୍କା ଋଣ ନେବେ। ଏସବୁ ଅର୍ଥ ନିଲାମ ଜରିଆରେ ସଂଗ୍ରହ କରାଯିବ ଏବଂ ରାଜ୍ୟକୁ ଦିଆଯିବ। ଆରବିଆଇର ନୀରିକ୍ଷଣରେ ଏସବୁ ପ୍ରକ୍ରିୟା ହେବ। ସଂଗୃହୀତ ରାଶିକୁ ରାଜ୍ୟଗୁଡିକ ମଧ୍ୟରେ ବିତରଣ କରାଯିବ।

ବଜାର ବିଶେଷଜ୍ଞଙ୍କ ମତରେ ରେପୋ ରେଟ୍ ବଢିବା ପରେ ବଣ୍ଡ ଜରିଆରେ ବଜାରରୁ ଋଣ ନେବା ଏବେ ଅଧିକ ମହଙ୍ଗା ପଡିବ। ରାଜ୍ୟଗୁଡିକ ଉପରେ ଋଣ ବଢିବାରୁ ଆଗାମୀ ସପ୍ତାହରେ ବଣ୍ଡର ଚାହିଦା ମଧ୍ୟ ବଢିଯିବ। ଏହା ଆଠ ପ୍ରତିଶତରୁ ଅଧିକ ରହିବ। ଆରବିଆଇ ଏହାକୁ ନେଇ ମଧ୍ୟ ଚିନ୍ତିତ ଯେ, ଦେଶର ପାଞ୍ଚଟି ରାଜ୍ୟରେ ସେମାନଙ୍କ ଜିଡିପି ଅନୁପାତରେ ଋଣର ପରିମାଣ ବଢି ଯାଇଛି। କିଛି ରାଜ୍ୟର ଋଣ ତ ଜିଡିପିର ୪୦ ପ୍ରତିଶତ ପର‌୍ୟ୍ୟନ୍ତ ପହଞ୍ଚି ଯାଇଛି। ରାଶିକୁ ଭୁଲ୍ ଜାଗାରେ ବିନିଯୋଗ କରିବା କାରଣରୁ ଏମିତି ହୋଇଛି। ଯଦି ଏମିତି ବଦଖର୍ଚ୍ଚ ଉପରେ ନିୟନ୍ତ୍ରଣ କରାନଯାଏ ତେବେ ଉକ୍ତ ରାଜ୍ୟର ଆର୍ଥିକ ସ୍ଥିତି ଦୟନୀୟ ହୋଇ ପଡିବ। ଆଉ ଆଗାମୀ ସମୟରେ ଉକ୍ତ ରାଜ୍ୟ ଋଣ ଜାଲରେ ଫସିଯିବ।

 

Get real time updates directly on you device, subscribe now.