fbpx

ବାତ୍ୟା ଆଲର୍ଟ; ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ: ଓଡ଼ିଶା ଉପରେ ନାହିଁ ବିପଦ

ନୂଆଦିଲ୍ଲୀ: ଆଜି ବାତ୍ୟାର ରୂପ ନେବ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ । ତେବେ ଏହା ଏକ ବଡ଼ ବାତ୍ୟା ନୁହେଁ, ଛୋଟ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଅବପାତଟି ଦିଗ ପରିବର୍ତ୍ତନ କରୁଥିବା ବେଳେ ଏହାର ଗତିବିଧିକୁ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ । ଏହି ଗଭୀର ଅବପାତଟି ବର୍ତ୍ତମାନ ଉତ୍ତର-ଉତ୍ତରପୂର୍ବ ଦିଗ ଆଡକୁ ମୁହାଁଇଛି । ତେଣୁ ,ହା ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ତେବେ ବାତ୍ୟାକୁ ନେଇ ଓଡ଼ିଶା ଉପରେ କୌଣସି ବିଶେଷ ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତ ଶ୍ରୀ ଦାଶ । ଏହି ଅବପାତ ପାରାଦୀପ ଠାରୁ ୩୨୦, ବିଶାଖାପାଟଣା ଠାରୁ ୩୯୦ ଓ ଦିଘାରୁ ୪୬୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ସୂଚନା ଅନୁସାରେ, ଏହି ଗଭୀର ଅବପାତ ବର୍ତ୍ତମାନ ଘଣ୍ଟାକୁ ୧୭ କି.ମି ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରୁଛି । ତେଣୁ ଏହି ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ପାରାଦୀପରେ ୬.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଓଡ଼ିଶା ଉପକୂଳରେ ୪୦ରୁ ୫୦ କି.ମି ବେଗରେ ପବନ ବହୁଛି । ତେବେ ଏହା କ୍ରମେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରୁଛି । ତେଣୁ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ । ତେବେ ୧୮ ତାରିଖ ସକାଳୁ ପବନର ବେଗ ସର୍ବାଧିକ ୭୫ କି.ମି ରହିବ ଓ ୧୮ ତାରିଖ ସକାଳେ ଏହା ବାଂଲାଦେଶର ମୋଙ୍ଗଲା ଏବଂ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ କି.ମି ଛୁଇଁପାରେ ବୋଲି ସେ କହିଛନ୍ତି । ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନଥିଲେ ମଧ୍ୟ ପୁରୀ ସମେତ ଉତ୍ତର ଓଡ଼ିଶାର ଅନ୍ୟ ଉପକୂଳ ଜିଲ୍ଲାଗୁଡିକରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଜାରି କରିଛନ୍ତି ।।

Get real time updates directly on you device, subscribe now.