fbpx

Breaking; ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଧିଲି’: ଓଡ଼ିଶାରେ କ’ଣ ରହିବ ପରିସ୍ଥିତି?

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବର୍ତ୍ତମାନ ବାତ୍ୟାର ରୂପ ନେଇଛି । ସମୁଦ୍ର ଭିତରେ ବାତ୍ୟାର ରୂପ ନେବା ପରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଘଣ୍ଟା ପ୍ରତି ୨୦ କି.ମି ବେଗରେ ଗତି କରୁଛି ବାତ୍ୟା ‘ମିଧିଲି’ । ବର୍ତ୍ତମାନ ‘ମିଧିଲି’ ପାରାଦୀପ ଠାରୁ ୧୯୦ କିଲୋମିଟର ଦୂରରେ ରହିଥିବା ବେଳେ ଦୀଘାଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ରହିଛି ।

ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଥିବା ବାତ୍ୟା ଆଗକୁ ଯାଇ ବାଂଲାଦେଶ ଉପକୂଳ ଛୁଇଁବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆଜି ବିଳମ୍ବିତ ରାତି କିମ୍ବା ଆସନ୍ତାକାଲି ଭୋର ସମୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ମିଧିଲି’ । ବାଂଲାଦେଶର ଖେପପୁରା ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାର ଗତିବିଧିକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ କହିଛି ଯେ, ଏହି ବାତ୍ୟା ଓଡ଼ିଶା ଉପରେ କୌଣସି ସିଦାସଳଖ ପ୍ରଭାବ ପକାଇବ ନାହିଁ ।

ତେଣୁ ଏହି ବାତ୍ୟା ପ୍ରଭାବରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ପାରାଦୀପରେ ୬.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ପୁରୀରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଓଡ଼ିଶା ଉପକୂଳରେ ୪୦ରୁ ୫୦ କି.ମି ବେଗରେ ପବନ ବହୁଛି । ତେବେ ଏହା କ୍ରମେ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

Get real time updates directly on you device, subscribe now.