fbpx

ରଣଜୀ ଖେଳାଳି ବିଷ୍ଣୁ ସୋଲାଙ୍କୀଙ୍କ କାହାଣୀ: ନବଜାତ ଶିଶୁର ଶେଷକୃତ୍ୟ ସାରି ମ୍ୟାଚରେ ଲଗାଇଲେ ଦମଦାର ଶତକ

ନୂଆଦିଲ୍ଲୀ: ରଣଜୀ ଟ୍ରଫିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଏ ହେଉଛି ବରୋଦାର ବ୍ୟାଟ୍ସମ୍ୟାନ ବିଷ୍ଣୁ ସୋଲାଙ୍କୀଙ୍କ କାହାଣୀ । ଚଣ୍ଡୀଗଡ ବିପକ୍ଷ ମ୍ୟାଚରେ ଶତକ ଲଗାଇବା ସତ୍ତେ୍ୱ ମଧ୍ୟ ଏହାକୁ ସେଲିବ୍ରେଟ କରି ନଥିଲେ ବିଷ୍ଣୁ । କାରଣ ତାଙ୍କ ଶରୀର ମଇଦାନରେ ଥିଲା ସତ, କିନ୍ତୁ ମନ ଏବଂ ହୃଦୟ ଥିଲା ତାଙ୍କ ଝିଅ ପାଖରେ ଯିଏ ଏବେ ଆଉ ଏହି ଦୁନିଆରେ ନାହିଁ । ଗତ କିଛି ଦିନ ତଳେ ନବଜାତ ଶିଶୁ କନ୍ୟାକୁ ହରାଇଛନ୍ତି ବିଷ୍ଣୁ । କିନ୍ତୁ ଏହାପରେ ସେ ପୁଣି ଥରେ ମଇଦାନକୁ ଫେରି ଦମଦାର ଶତକ ଲଗାଇଛନ୍ତି । ଯାହା ଫଳରେ ବରୋଦା ୪୦୦ ରନ ନିକଟତର ହୋଇପାରିଛି ।

ପ୍ରଥମେ ପିତା ହେବାର କର୍ତ୍ତବ୍ୟ କରି ନିଜ ଝିଅର ଅନ୍ତିମ ସଂସ୍କାର କରିଥିଲେ । ଏବଂ ପରେ ପୁଣି ଆସି ଜଣେ ଖେଳାଳିର ଦାୟିତ୍ୱରେ ଦଳ ସହିତ ଯୋଡି ହୋଇଥିଲେ ବିଷ୍ଣୁ ସୋଲାଙ୍କୀ । କେବଳ ସେତିକି ନୁହେଁ ୧୬୧ ବଲରେ ୧୨ ଚୌକା ସହ ୧୩୧ ରନର ଏକ ଦମଦାର ପାଳି ମଧ୍ୟ ଖେଳୁଛନ୍ତି । ଏହାପରେ ସମସ୍ତେ ବିଷ୍ଣୁଙ୍କୁ ସାଲ୍ୟୁଟ କରୁଛନ୍ତି । ସୌରାଷ୍ଟ୍ରର ୱିକେଟ କିପର ବ୍ୟାଟ୍ସମ୍ୟାନ ଶେଲଡନ ଜ୍ୟାକସନ ଟ୍ୱିଟ କରି ବିଷ୍ଣୁ ଏବଂ ତାଙ୍କ ପରିବାରକୁ ସାଲ୍ୟୁଟ ଜଣାଇଛନ୍ତି । ସେହିପରି ବରୋଦା କ୍ରିକେଟ ଆସୋସିଏସନର ସିଇଓ ଶିଶିର ହଟ୍ଟଙ୍ଗାଡୀ ବିଷ୍ଣୁଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇ ଟ୍ୱିଟ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୧୧ ତାରିଖରେ ବିଷ୍ଣୁଙ୍କର ଶିଶୁକନ୍ୟା ଜାତ ହୋଇଥିବା ଖବର ମିଳିଥିଲା । କିନ୍ତୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଝିଅର ମୃତ୍ୟୁ ଖବର ମଧ୍ୟ ପାଇଥିଲେ ବିଷ୍ଣୁ । ଏ ଖବର ଶୁଣି ସେ ଭୁବନେଶ୍ୱରରୁ ସିଧା ବରୋଦରା ପାଇଁ ବାହାରି ଝିଅର ଅନ୍ତ୍ୟେଷ୍ଟି କ୍ରିୟା ସମାପନ କରିଥିଲେ ଏବଂ ୩ ଦିନ ଭିତରେ ପୁଣି ଥରେ ଫେରି ଆସି ଦଳରେ ଯୋଗ ଦେଇଥିଲେ । ଏହାପରେ ଚଣ୍ଡୀଗଡ ବିପକ୍ଷରେ ୧୩୧ ରନର ଏକ ଦମଦାର ଇନିଂସ ଖେଳୁଛନ୍ତି ବିଷ୍ଣୁ ସୋଲାଙ୍କୀ ।

Get real time updates directly on you device, subscribe now.