ଆସିଲା ଶୀତ, ଉଠିଲା ସୈନିକ ସ୍କୁଲ ଅଳିଆ ଗଦା ପ୍ରସଙ୍ଗ, ସ୍ଥାନାନ୍ତର ପାଇଁ ଦାବି

ଭୁବନେଶ୍ୱର- ଶୀତ ଆରମ୍ଭ ହେଉ ହେଉ ପୁଣି ଉଠିଲା ସୈନିକ ସ୍କୁଲ ଅଳିଆଗଦା ସ୍ଥାନାନ୍ତର ଦାବି । ଅଳିଆଗଦାକୁ ସୈନିକ ସ୍କୁଲରୁ ଅନ୍ୟତ୍ର ନେବା ଦାବିରେ ଆଜି ରାଜ୍ୟ ଛାତ୍ର କଂଗ୍ରେସ ତରଫରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଅଳିଆ ଗଦା ଦୁର୍ଗନ୍ଧ ରାଜଧାନୀବାସୀଙ୍କ ପାଇଁ ଅସହ୍ୟ ହେଉଥିବା ବେଳେ ପାହାଡ ସଦୃଶ ଅଳିଆ ପାଇଁ ରାଜଧାନୀର ପାଣି ଓ ପବନ ଦୂଷିତ ହେଉଛି । ଫଳରେ ଅଳିଆ ଗଦାକୁ ଲାଗି ଥିବା ଅଞ୍ଚଳର ବାସିନ୍ଦା ନାନା ରୋଗରେ ଆକ୍ରାନ୍ତ ହେଉଥିବା କୁହାଯାଉଛି ।

ତେବେ ଏହି ଅଳିଆ ଗଦା ସ୍ଥାନାନ୍ତର ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇଆସୁଛି । ବିଶେଷ କରି ଶୀତ ଦିନେ ଅଳିଆ ଗଦାର ଗନ୍ଧ ପୂରା ରାଜଧାନୀର ବାୟୁମଣ୍ଡଳରେ ଖେଳି ପୁରା ସହରକୁ ପୂତ୍ତି ଗନ୍ଧରେ ଭରି ଦେଉଛି । ଅଳିଆ ଗଦା ଆଖପାଖ ଅଞ୍ଚଳରେ ଥିବା ସୈନିକ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ତଥା କର୍ମଚାରୀଙ୍କ ପାଇଁ ତଥା ସେଠାର ବାସିନ୍ଦାଙ୍କ ପାଇଁ ଅସହ୍ୟ ହେଉଛି । ଲୋକଙ୍କ ସମସ୍ୟାକୁ ନେଇ ବିଜେପି ଗତ ବର୍ଷ ପୁରା ଦୁଇ ମାସ ଧରି ସୈନିକ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲା ।

ସେତେବେଳେ ଲୋକଙ୍କ ସମସ୍ୟାକୁ ଦେଖାଇ ଅଳିଆ ଗଦାକୁ ସୈନିକ ସ୍କୁଲ ନିକଟରୁ ଅନ୍ୟତ୍ର ସହର ବାହାରକୁ କେଉଁଠିକୁ ସ୍ଥାନାନ୍ତର କରିବାକୁ ବିଜେପି ଦାବି କରୁଥିଲା । ତେବେ ସେତେବେଳେ ବିଏମସି କମିଶନର କହିଥିଲେ କି ଅଳିଆ ପ୍ରସେସିଂ କାମକୁ ତ୍ୱରାନ୍ୱିତ କରାଯାଇ ଦୁର୍ଗନ୍ଧ ଦୂର କରାଯିବ ତଥା ଅନ୍ୟତ୍ର ଏହି ଅଳିଆ ଗଦା ସ୍ଥାନାନ୍ତର କରାଯିବ । କିନ୍ତୁ ଏକ ବିର୍ଷ ବିତିଯାଇଥିଲେ ମଧ୍ୟ ଅଳିଆ ଯେମିତିକୁ ସେମିତି ସେଠାରେ ପଡିରହିଛି ।
ଏବେ ବିଜେପି ସରକାର ଗଠନ କରିଛି । ତେଣୁ ଏକ ବର୍ଷ ପୂର୍ବେ ଯେଉଁ ଦାବିକୁ ଗମ୍ଭୀରତା ସହ ନେଇ ବିଜେପି ଆନ୍ଦୋଳନକୁ ଓହ୍ଲାଇଥିଲା, ଏବେ ସେହି ସମସ୍ୟା ବୁଝି ଅଳିଆ ଗଦା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଛାତ୍ର କଂଗ୍ରେସ ଦାବି କରୁଛି ।