କପି ପାଇଁ ଗୁଳିକାଣ୍ଡ, ଉତ୍ତର ନଦେଖାଇବାରୁ ଦଶମ ପରୀକ୍ଷା ହଲରେ ଛାତ୍ର ମୃତ୍ୟୁ
ସାମ୍ନାକୁ ଆସିଲା ଏକ ଅଭାବନୀୟ ଘଟଣା। ଦଶମ ପରୀକ୍ଷା ହଲରେ କପି କରାଇ ନଦେବାରୁ ମହାଭାରତ। ଉତ୍ତର ଖାତା ନଦେଖାଇବାରୁ ଗୁଳିକାଣ୍ଡ। ଟଳିପଡ଼ିଲେ ୧୬ ବର୍ଷୀୟ ପରୀକ୍ଷାର୍ଥୀ।
ବିହାର: ଏବେ ଚାଲିଛି ମ୍ୟାଟ୍ରିକ ପରୀକ୍ଷା। କଥାରେ ଅଛି ଏହି ମ୍ୟାଟ୍ରିକ ପରୀକ୍ଷା ଜଣେ ପିଲାର ମୂଳଦୁଆ। ଏହିଠାରୁ ଆରମ୍ଭ ହୁଏ ଜୀବନର ପ୍ରକୃତ ପରୀକ୍ଷା। ହେଲେ ଏବେ ସେହି ମ୍ୟାଟ୍ରିକ ପରୀକ୍ଷା କେନ୍ଦ୍ରରେ ଦେଖିବାକୁ ମିଳିଛି ଲୋମଟାଙ୍କୁରା ଦୃଶ୍ୟ। ପରୀକ୍ଷା ହଲ୍ ଭିତରେ ଫୁଟିଛି ଗୁଳି।
ତାହା ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ। ଯେଉଁମାନେ କି ଦଶମ ପରୀକ୍ଷା ଦେଉଥିଲେ। କପି କରିବାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହେଲା ଯୁକ୍ତିତର୍କ। ଆଉ ପରେ ଗୁଳି ମରାମରି। ଫଳରେ ଘଟଣାରେ ଆଖି ବୁଜିଲା ପରୀକ୍ଷା ଦେବାକୁ ଆସିଥିବା ଜଣେ ୧୬ ବର୍ଷୀୟ ନାବାଳିକ।
ପରୀକ୍ଷା ହଲରେ ଗୁଳିକାଣ୍ଡ: ହଁ ଆଜ୍ଞା ବିହାରର ସାସାରାମ ଜିଲ୍ଲାରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା। ଏକ ସ୍କୁଲରେ ମ୍ୟାଟ୍ରିକ ପରୀକ୍ଷା ଚାଲିଥିବା ବେଳେ, ଉତ୍ତର ଖାତା ଦେଖିବାକୁ ନଦେବାରୁ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ମାରପିଟ ଓ ଫାୟାରିଂ।
ଏହି ସମୟରେ ଗୁଳି ବାଜି ଜଣେ ୧୬ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ସୂଚନାନୂସାରେ, ମାରପିଟ ଓ ଗୁଣ୍ଡାଗର୍ଦି କରିଥିବା ସମସ୍ତ ପିଲା ନାବାଳକ ଅଟନ୍ତି। ଆଉ ସେମାନେ ବି ସେହି ପରୀକ୍ଷା କେନ୍ଦ୍ରରେ ମ୍ୟାଟ୍ରିକ ପରୀକ୍ଷା ଦେଉଥିଲେ।
ଉତ୍ତର ନଦେଖାଇବାରୁ ବିବାଦ: ତେବେ ଘଟଣାଟି ତାରାଚଣ୍ଡି ଅଞ୍ଚଳରେ ଘଟିଛି। ପରୀକ୍ଷା ହଲରେ ଉତ୍ତର ନଦେଖାଇବାରୁ ଛାତ୍ରଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା। ପରେ ଗୁଳି ବିନିମୟରେ ଜଣେ ଛାତ୍ର ମୃତ୍ୟୁ ବରଣ କରିଥିବା ବେଳେ, ଆଉ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସାସାରାମରେ ସେଣ୍ଟର: ତେବେ ବିବାଦରେ ଜଡିତ ସମସ୍ତ ଛାତ୍ର ଦେହରି ହାଇସ୍କୁଲର ବୋଲି ଜଣାପଡିଛି। ଏସମସ୍ତଙ୍କର ସେଣ୍ଟର ସାସାରାମର ସେଣ୍ଟ ଆନ୍ନା ହାଇସ୍କୁଲରେ ପଡିଥିଲା। ଯେଉଁଠାରେ ଗୁଳି ବିନିମୟ ହୋଇଛି।
ଗିରଫ ଛାତ୍ର: ତେବେ ଏହି ଘଟଣାରେ ଅସ୍ତ୍ରଶସ୍ତ୍ର ସହ ପୋଲିସ ଜଣେ ନାବାଳକକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜା ଚାଲିଛି। ହେଲେ ଏଠି ପ୍ରଶ୍ୱ ଉଠୁଛି କି ଏତେ କଡ଼ା ଚେକିଂ ଭିତରେ ପରୀକ୍ଷା ହଲ ଭିତରକୁ ଅଭିଯୁକ୍ତମାନେ ବନ୍ଧୁକ ନେଲେ କିପରି। ଯାହା ପାଇଁ ଏତେବଡ କାଣ୍ଡ ଘଟିଗଲା।