fbpx

ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଯୋଜନା: ଗ୍ରୀଷ୍ମ ଛୁଟିରେ ‘ହଲିଡେ ହୋମୱାର୍କ’ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୮ରୁ ୨୦ ପର୍ଯ୍ୟନ୍ତ ତିନି ଦିନ ସ୍କୁଲ ବନ୍ଦ ରହିଥିବା ବେଳେ ଏପ୍ରିଲ ୨୫ରୁ ରାଜ୍ୟରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବାକୁ ଯାଉଛି । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ପାଇଁ ଆଗୁଆ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏପରି ସ୍ଥିତିରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍କୁଲର ସମସ୍ତ କାର୍ଯ୍ୟ ପରିଚାଳିତ ହେବ ।

ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି । ଏ ବାବଦରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଅବଗତ କରଯାଇଛି । ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀଙ୍କୁ ବିବିଧ ବିଷୟଭିତ୍ତିକ କାର୍ଯ୍ୟ ତଥା ନିଜର ଦକ୍ଷତା ଓ କୌଶଳ ଅଭିବୃଦ୍ଧି ପାଇଁ କେତେକ ଅବସରକାଳୀନ ଗୃହକାର୍ଯ୍ୟ (ହଲିଡେ ହୋମୱାର୍କ) ପ୍ରତିବର୍ଷ ଦିଆଯାଉଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ସମୟର ସଦୁପଯୋଗ କରିପାରିବେ ।

ଗ୍ରୀଷ୍ମ ଛୁଟିରେ ଏହି ହଲିଡେ ହୋମୱାର୍କକୁ ରିସୋର୍ସ ଟିଚର ପ୍ରସ୍ତୁତ କରିବେ ଓ ପ୍ରଧାନଶିକ୍ଷକ ସମସ୍ତ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବେ । ଛାତ୍ରଛାତ୍ରୀଙ୍କର କୌଣସି ଡାଉଟ୍ ଥିଲେ ସେମାନେ ଶ୍ରେଣୀ ଶିକ୍ଷକଙ୍କୁ ଟେଲିଫୋନ କରି ନିଜର ସନ୍ଦେହ ଦୂର କରିପାରିବେ । ଛୁଟି ସମୟରେ ଛାତ୍ରଛାତ୍ରୀମାନେ କିପରି ସ୍ୱପଠନ କରିପାରିବେ ସେନେଇ ଶିକ୍ଷକମାନେ ଅଭିଭାବକ / ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବେ । ପୂରା ଛୁଟି ସମୟରେ ଶିକ୍ଷକ, କନିଷ୍ଠ ସହାୟକ, ପିଅନମାନେ ରୋଷ୍ଟର ଡ୍ୟୁଟି କରିବେ । ରୋଷ୍ଟର ଡ୍ୟୁଟି ପାଇଁ ସ୍କୁଲରେ ଏକ ରେଜିଷ୍ଟର କରାଯିବ ।

Get real time updates directly on you device, subscribe now.