fbpx

ଏଣିକି ଛାତ୍ରଛାତ୍ରୀଙ୍କୁ ୬ ମାସ ମଧ୍ୟରେ ମିଳିବ ସାର୍ଟିଫିକେଟ ଓ ମାର୍କଶିଟ୍, ସମସ୍ତ ୟୁନିଭରସିଟି ଓ ଡିଗ୍ରୀ କଲେଜକୁ UGCର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ସଠିକ୍ ସମୟରେ ସାର୍ଟିଫିକେଟ ଓ ମାର୍କଶିଟ୍ ମିଳିବ । ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କୁ ୬ ମାସରେ ଯୋଗ୍ୟତା ସାର୍ଟିଫିକେଟ ମିଳିବ । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ଚିଠି ଲେଖିଛି ।

ୟୁଜିସି ପକ୍ଷରୁ କୁହାଯାଇଛି, ବିଭିନ୍ନ ଶିକ୍ଷାନୁଷ୍ଠାନରୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚଡି ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କୁ ସଠିକ୍ ସମୟରେ ମାର୍କଶିଟ୍, ସାର୍ଟିଫିକେଟ ସହ ଅନ୍ୟାନ୍ୟା ପ୍ରମାଣପତ୍ର ମିଳୁନାହିଁ । ଶିକ୍ଷାନୁଷ୍ଠାନଗୁଡ଼ିକ ପିଲାଙ୍କୁ ପ୍ରମାଣପତ୍ର ଦେବା କ୍ଷେତ୍ରରେ ବିଳମ୍ବ କରୁଥିବା ଅନେକ ଅଭିଯୋଗ ଆସିଛି । ସାର୍ଟିଫିକେଟ ମିଳିବାରେ ବିଳମ୍ବ ହେତୁ ପିଲାମାନଙ୍କ ଉଚ୍ଚଶିକ୍ଷା ବାଧାପ୍ରାପ୍ତ ହେଉଛି । ପରବର୍ତ୍ତୀ ସମୟରେ ସେମାନଙ୍କ ନିଯୁକ୍ତିରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହେଉଛି ।

ତେଣୁ ଏହାକୁ ଗୁରୁତର ସହ ନେଇ ୨୦୦୮ ମସିହାର ୟୁଜିସି ଅଧିନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଦରକାର । ଅଧିନିୟମ ଅନୁଯାୟୀ, ସର୍ବାଧିକ ୧୮୦ ଦିନ ଅର୍ଥାତ ୬ ମାସ ମଧ୍ୟରେ ହିଁ ପିଲାମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ଏ ସମ୍ପର୍କିତ ମାର୍ଗଦର୍ଶିକା ୟିଜିସି ୱେବସାଇଟରେ ଉପଲବ୍ଧ ରହିଛି । ଏହି ନିୟମର ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଜିସି ନିର୍ଦ୍ଦେଶ ଦେଇଛି ।

Get real time updates directly on you device, subscribe now.