fbpx
BSKY SKY
BSKY SKY

BSNL କର୍ମଚାରୀଙ୍କୁ କଡା ଚେତାବନୀ: ହଠାତ୍ ଘରକୁ ଯିବାକୁ କାହିଁକି କହିଲେ କେନ୍ଦ୍ରମନ୍ତ୍ରୀ?

BSKY

ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନୀ ‘BSNL’ର ସମସ୍ତ କର୍ମଚାରୀଙ୍କୁ କଡା ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର । ହଠାତ୍ ସେମାନଙ୍କୁ ଘରକୁ ଯିବା ପାଇଁ କଡା ଆଭିମୁଖ୍ୟ ଶୁଣାଇଛନ୍ତି ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କମ୍ପାନୀର କିଛି ନିର୍ଦ୍ଦିଷ୍ଟ ବର୍ଗର କର୍ମଚାରୀମାନଙ୍କୁ ଘରକୁ ପଠାଇବା ପାଇଁ ଚିନ୍ତା ଆରମ୍ଭ ହୋଇଛି ଯୋଜନା । ତେବେ କାହିଁକି କର୍ମଚାରୀଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରାଯାଉଛି ? କେଉଁ କର୍ମଚାରୀମାନଙ୍କୁ ଘରକୁ ପଠାଇବା ପାଇଁ ଚିନ୍ତା କରୁଛନ୍ତି ଅଶ୍ୱିନୀ ବୈଷ୍ଣବ ?

ସୂଚନା ଅନୁଯାୟୀ, ସରକାରୀ ଟେଲିକମ୍ କମ୍ପାନୀ ‘BSNL’ର ମୋଟ ୬୨ହଜାର କର୍ମଚାରୀଙ୍କୁ କଡା ଚେତାବନୀ ଦେଇଛନ୍ତି ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କମ୍ପାନୀର ପୁନର୍ଗଠନ ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ତରପରୁ ମଞ୍ଜୁରୀ ମିଳିଛି । ତେଣୁ କର୍ମଚାରୀଙ୍କୁ ଆଶା ଅନୁଯାୟୀ କାମ କରିବାକୁ ପଡିବ, ନଚେତ ସେମାନେ ନିଜ ବ୍ୟାଗ ପ୍ୟାକ କରିବା ଉଚିତ ବୋଲି ବରିଷ୍ଠ ପ୍ରବନ୍ଧନ ସହ ଏକ ବୈଠକରେ ଆଲୋଚନା ସମୟରେ କହିଛନ୍ତି ବୈଷ୍ଣବ । ଏଥିପ୍ରତି କର୍ମଚାରୀମାନଙ୍କର କୌଣସି ସନ୍ଦେହ ନ ରହିବା ଉଚିତ । କମ୍ପାନୀର ଉନ୍ନତି ପାଇଁ କର୍ମଚାରୀ ପ୍ରତିଭା ଅନୁସାରେ କାମ କରନ୍ତୁ, ନଚେତ ରିଟାୟାର ନେଇ ଘରେ ବସନ୍ତୁ ବୋଲି ସେ ଚେତାବନୀ ଦେଇଛନ୍ତି ।

ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘MTNL’ର କୌଣସି ଭବିଷ୍ୟତ ନାହିଁ । ତେଣୁ ସରକାର ଏହାକୁ ନେଇ ବିଶେଷ କିଛି କରିପାରିବେ ନାହିଁ । ତେବେ ଏହାର ବିଭିନ୍ନ ଅସୁବିଧା ଏବଂ ଏମଟିଏନଏଲ ସାମନା କରୁଥିବା ସମସ୍ୟାଗୁଡିକ ସହ ସମସ୍ତେ ପରିଚିତ । ତେଣୁ ଏଥିପାଇଁ ଏକ ନୂଆ ଯୋଜନା ପ୍ରସ୍ତୁତ ହେବା ପରେ ଏହି ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବୈଷ୍ଣବ ପ୍ରକାଶ କରିଛନ୍ତି ।

ଏହା ବ୍ୟତୀତ BSNL କାର୍ଯ୍ୟାଳୟରେ ବିଶୃଙ୍ଖଳା ଏବଂ ଖରାପ ଅବସ୍ଥାକୁ ନେଇ ମଧ୍ୟ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଝାରସୁଗୁଡା BSNL କାର୍ଯ୍ୟାଳୟରେ ବିଶୃଙ୍ଖଳାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବୈଷ୍ଣବ । କାର୍ଯ୍ୟାଳୟ ବହୁତ ଖରାପ ରହିଥିଲା ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏସବୁରେ ଯଦି ପରିବର୍ତ୍ତନ ନ କରାଯାଏ ତେବେ ‘BSNL’ର ଶୀର୍ଷ ନେତୃତ୍ୱକୁ ରଦ୍ଦ କରି ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ, କାମ କରିବାକୁ ଇଚ୍ଛୁକ ନଥିବା କର୍ମଚାରୀମାନେ VRS ନେଇ ଘରକୁ ଯାଇପାରିବେ । ତେବେ ଯଦି କୌଣସି କର୍ମଚାରୀ ବା ସଂଘ ଏହାକୁ ବିରୋଧ କରନ୍ତି ତେବେ ସେମାନଙ୍କ ବିରୋଧରେ ଅକାଳ ଅବସର ପ୍ରଦାନ ନିୟମ କାର୍ଯ୍ୟକାରୀ କରାଯିବ । ‘BSNL’ର କର୍ମଚାରୀମାନଙ୍କୁ ଉତ୍ସାହ ଏବଂ ଦୃଢ ମନୋଭାବର ସହିତ କାମ କରିବା ପାଇଁ ଆହ୍ୱାନ ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ ।

Get real time updates directly on you device, subscribe now.