ନୂଆଦିଲ୍ଲୀ:ବାତ୍ୟା ବିପର୍ଯ୍ୟୟ ଏବେ ଗୁଜୁରାଟ ସହିତ ଦେଶର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖାଇ ସାରିଛି । ତେବେ ବିପର୍ଯ୍ୟୟ ପରି ବହୁ ବାତ୍ୟା ଆମେ ସମ୍ମୁଖୀନ ହୋଇ ସାରିଲୁଣି । କିନ୍ତୁ ସବୁ ବାତ୍ୟାର ଭିନ୍ନ ଭିନ୍ନ ନାମକରଣ ରହିଛି । ମନରେ ଗୋଟେ ପ୍ରଶ୍ନ ଉଠେ ଏହି ବାତ୍ୟାର ନାମକରଣ କିପରି କରାଯାଏ ଓ ଏହା କିଏ କରିଥାଏ । ତେବେ ବାତ୍ୟାର ନାମକରଣ ଏହାର ଭୌଗଳିକ ସୃଷ୍ଟି ଓ ପ୍ରଭାବ ଅନୁସାରେ କରାଯାଇଥାଏ । କିଛି ପରିଚିତ ନାମ ମଧ୍ୟରେ କ୍ୟାଟ୍ରିନା, ବୁଲବୁଲ୍, ଅମ୍ପାନ, ଲ୍ୟାରୀ, ଲିଜା ଇତ୍ୟାଦି ରହିଛି । ପୁରୁଷ ଓ ମହିଳାଙ୍କ ନାମ ଅନୁସାରେ ଏହି ନାମକରଣ କରାଯାଏ । ଭାରତ ସହିତ ୧୩ ଟି ଦେଶ ଏହି ବାତ୍ୟାର ନାମକରଣ କରିଥାନ୍ତି ।
ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ମହିଳା ନାମଧାରୀ ବାତ୍ୟା ତୁଳନାତ୍ମକ ଭାବରେ ଅଧିକ ଭୟାନକ ହୋଇଥାଏ । ଏଗୁଡିକ ଅଧିକ ଜୀବନ ନେବା ସହ ବ୍ୟାପକ କ୍ଷତି ଘଟାଇଥାନ୍ତି । ଏହାର କାରଣ ଦର୍ଶାଇ ଗବେଷକମାନେ ଯାହା କହିଛନ୍ତି ଆସନ୍ତୁ ସେ ବିଷୟରେ ଟିକେ ଜାଣିବା । ସାଧାରଣତଃ ମହିଳାମାଦେ ଦୟାଳୁ ଓ କୋମଳ ହୋଇଥାନ୍ତି । ମହିଳାମାନେ କାହାର ବିଶେଷ ଅନିଷ୍ଟ କରିବାକୁ ଭଲ ପାଆନ୍ତି ନାହିଁ । ଏହି ଦୃଷ୍ଟିରୁ ମହିଳା ନାମଧାରୀ ବାତ୍ୟାକୁ ନେଇ କେହି ଅଧିକ ଚିନ୍ତିତ ହୁଅନ୍ତି ନାହିଁ କି ବିଶେଷ ସତର୍କତା ଅବଲମ୍ବନ କରନ୍ତି ନାହିଁ । ସତର୍କ ନ ରହିବା କାରଣରୁ ବାତ୍ୟା ଆସି ବହୁତ କ୍ଷତି ପହଞ୍ଚାଇ ଚାଲିଯାଏ । ଏଭଳି ବାରମ୍ବାର ଘଟି ଚାଲିଲେ ବି ଲୋକମାନେ ହେଜି ନ ଥାନ୍ତି ।
ଅଧ୍ୟୟନକାରୀ ଆମେରିକା ବାତ୍ୟା ବା ହରିକେନର ୬ ଦଶନ୍ଧି ତଥ୍ୟକୁ ଅଧ୍ୟୟନ କରି ଏହା ଜାଣିବାକୁ ପାଇଥିଲେ । ଅନ୍ୟ ପକ୍ଷରେ ବାତ୍ୟାର ନାମକୁ ସହଜରେ ମନେ ରଖିବା ଲାଗି ଏହାର ସ୍ୱତନ୍ତ୍ର ନାମକରଣ କରାଯାଇଥାଏ । ତେବେ ବାତ୍ୟାର ନାମଗୁଡିକ ରାଜନୈତିକ ଓ ସାଂସ୍କୃତିକ ଦୃଷ୍ଟିରୁ ବିବାଦୀୟ ହୋଇ ନ ଥିବା ଜରୁରୀ ।
ଏବେ ଆସନ୍ତୁ ଜାଣିବା ବାତ୍ୟା ବିପର୍ଯ୍ୟୟର ନାମକରଣ କିପରି କରାଯାଇଛି । ବିପର୍ଯ୍ୟୟ ନାମ ବାଙ୍ଗଲାଦେଶ ଦେଇଛି । ଆରବ ସାଗର ଓ ବଙ୍ଗୋପସାଗରରେ ଯେତେ ବି ବାତ୍ୟା ସୃଷ୍ଟି ହୋଇଥାଏସେମାନଙ୍କ ନାମକରର ଏହି ଅଞ୍ଚଳର ଦେଶମାନେ ହିଁ କରିଥାନ୍ତି ଯାହା ପୂର୍ବରୁ ଧାର୍ଯ୍ୟ ହୋଇଥାଏ । ବାଙ୍ଗଲାଦେଶ ତାଲିକାରେ ଥିବା ଅନ୍ୟ ନାମଗୁଡିକ ହେଉଛି ଅର୍ଣ୍ଣବ, ରଜନୀ ଓ ଉର୍ମି । ବିପର୍ଯ୍ୟୟ ପରେ ଯେଉଁ ବାତ୍ୟା ଆସିବ ତାହାର ନାମ ‘ତେଜ’ ରଖାଯିବ ବୋଲି ଜଣାଯାଇଛି । ଏହି ନାମ ଭାରତୀୟ ତାଲିକାରୁ ଆସିବ । ଭାରତୀୟ ତାଲିକାରେ ଥିବା ଅନ୍ୟନାମଗୁଡିକ ମଧ୍ୟରେ ରହିଛି ଗତି, ନୀର, ଜଳଧି, ପ୍ରଭଞ୍ଜନ । ଏହି ପ୍ରକ୍ରିୟା ୨୦୦୪ରୁ ଚାଲି ଆସୁଛି । ତେବେ ବାତ୍ୟାରୁ ସୁରକ୍ଷା, ସଚେତନତା ଓ ପ୍ରସ୍ତୁତିକୁ ଅଧିକ ସୁବିଧାଜନକ କରିବା ଲାଗି ଏପରି ନାମକରଣ ପ୍ରକ୍ରିୟା ଆରମ୍ଭ ହୋଇଛି ।