ସୁଭଦ୍ରା ଯୋଜନାରେ ପୁଣି ତ୍ରୁଟି; ମିଳିଲାନି ଟଙ୍କା, ରେକର୍ଡ ଖାତାରେ ଜୀବିତ ମହିଳାଙ୍କୁ କରିଦେଲେ ମୃତ
ସୁଭଦ୍ରା ଯୋଜନାର ରେକର୍ଡ ଖାତାରେ ଜୀବିତ ମହିଳା ପାଲଟିଗଲେ ମୃତ, ଜାଣନ୍ତୁ
ଭୁବନେଶ୍ୱର: ପୁଣି ସୁଭଦ୍ରା ଯୋଜନାରେ ତ୍ରୁଟି ଦେଖିବାକୁ ମିଳିଛି। ସ୍ୱର୍ଣ୍ଣଲତା ଗିରି ନାମକ ଜଣେ ଜୀବିତ ମହିଳାଙ୍କୁ ସୁଭଦ୍ରା ଯୋଜନା ରେକର୍ଡରେ ମୃତ ବୋଲି ଦର୍ଶାଯାଇଛି। ସଂପୃକ୍ତ ମହିଳା ଜଣକ ନିଜ ହାତରେ ଧରି ନିଜ ମୃତ୍ୟୁର କାଗଜପତ୍ର ଧରି ବୁଲୁଛନ୍ତି।
ଏହି ଘଟଣାଟି ବାଲେଶ୍ୱର ଜିଲ୍ଲା ଭୋଗରାଇର ବୋଲି ଜଣାପଡିଛି। ଏଠାରେ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ଟଙ୍କା ମିଳିଥିଲା। ଏହାପରେ ଦ୍ୱିତୀୟ କିସ୍ତି ବେଳକୁ ତାଙ୍କୁ ମୃତ ଦର୍ଶାଯାଇଛି।
ସଂପୃକ୍ତ ମହିଳା ଜଣକ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତିରେ ୫ ହଜାର ଟଙ୍କା ପାଇଥିଲେ। ହେଲେ ଦ୍ୱିତୀୟ କିସ୍ତିରେ ତାଙ୍କୁ ଟଙ୍କା ମିଳିନଥିଲା। ଏହାପରେ ସେ ସୁଭଦ୍ରା ପୋର୍ଟାଲରେ ଯାଞ୍ଚ କରିଥିଲେ।
ସେଥିରୁ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କୁ ମୃତ ଦର୍ଶାଯାଇ ଯୋଜନାରୁ ବାଦ ଦିଆଯାଇଛି। ଏ ନେଇ ସେ ବାରମ୍ବାର ସରକାରୀ ଅଧିକାରୀଙ୍କ ପାଖକୁ ଯାଇଥିଲେ ସୁଦ୍ଧା, ତାଙ୍କୁ ନିରାଶ ହେବାକୁ ପଡିଥିଲା।
ଏହାପରେ ସେ ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସଙ୍କୁ ଭେଟିଥିଲେ। ଏ ନେଇ ବିଧାୟକ କହିଛନ୍ତି ଯେ, ହିତାଧିକାରୀଙ୍କୁ ସାମିଲ କରିବା ସହ ଏଭଳି ଭୁଲ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।