କେତେକ ପକ୍ଷୀ ଦେଖିବାକୁ ଯେମିତି ସୁନ୍ଦର ହୋଇଥାନ୍ତି ସେମିତି ଆକର୍ଷଣୀୟ ବି ହୋଇଥାଏ ସେମାନଙ୍କ ସ୍ବର। ଆଉ ଏହି ପକ୍ଷୀମାନେ ମଧ୍ୟ ବେଳେବେଳେ ଆମକୁ ଭବିଷ୍ୟତର ସଙ୍କେତ ଦେଇଥାନ୍ତି। ତେବେ କେଉଁ ପକ୍ଷୀ କିଭଳି ସଙ୍କେତ ଦେଇଥାନ୍ତି ଆସନ୍ତୁ ଜାଣିନେବା ସେ ସମ୍ପର୍କରେ-
– ଯଦି କୌଣସି ସ୍ଥାନରେ ଏକାଧିକ କାଉ ବସି କର୍କଶ ରାବ ଦେଉଥିବାର ଦେଖନ୍ତି ତା’ହେଲେ ସେ ସ୍ଥାନ ଛାଡ଼ି ଶୀଘ୍ର ପଳାଇଯିବା ଉଚିତ। କାରଣ ଏହା କୌଣସି ବିପଦ ବା ଅଶୁଭ ଘଟଣାର ସଙ୍କେତ ଦେଇଥାଏ।
– ଅନ୍ୟପକ୍ଷେ କାଉଟିଏ ପାଣି ପାତ୍ରରୁ ପାଣି ପିଉଥିବାର ଅବା ଖାଦ୍ୟ ଧରି ଉଡ଼ିଯାଉଥିବାର ଦୃଶ୍ୟ ଶୁଭ ସୂଚନା ଦେଇଥାଏ। ତେଣୁ ପ୍ରତ୍ୟେକେ ନିଜ ନିଜ ଘର ସମ୍ମୁଖରେ ପକ୍ଷୀଙ୍କ ପିଇବା ପାଇଁ ପାଣିପାତ୍ର ରଖିବା ଦରକାର। ଏହାଦ୍ୱାରା ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି।
– ଘରର ଛାତ ଉପରେ ପେଚା ବସିବା ବା ପେଚା ବୋବାଇବାର ଶବ୍ଦ ଶୁଣିବା ଅଶୁଭ ହୋଇଥାଏ। ଏହାଦ୍ୱାରା ଆଗକୁ କିଛି ବିପଦ ଆସୁଛି ବୋଲି ସୂଚନା ମିଳିଥାଏ। କିନ୍ତୁ ଧଳା ରଙ୍ଗର ପେଚା ଦେଖିବା ଶୁଭ ସଙ୍କେତ ଦେଇଥାଏ। କୁହାଯାଏ, ଧଳା ପେଚା ଦେଖିଲେ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
– ଚଢ଼େଇମାନେ ମୁଖ୍ୟତଃ ଡରୁଆ ସ୍ବଭାବର ହୋଇଥାନ୍ତି। କିନ୍ତୁ ଯଦି କାହାରି ଘରକୁ ବହୁ ସଂଖ୍ୟାରେ ଚଢ଼େଇ ବିନା ଡରରେ ଯା’ଆସ କରୁଥାନ୍ତି, ଖାଦ୍ୟ ଖାଉଥାନ୍ତି, ତା’ହେଲେ ସେ ଘରେ ସକାରାତ୍ମକ ଉର୍ଜା ଖୁବ୍ ରହିଛି ବୋଲି ବୁଝିନେବା ଉଚିତ।
– କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ଯାଉଥିବାବେଳେ ବାଟରେ ଯଦି ମୟୂର ଦେଖିବାକୁ ମିଳେ କିମ୍ବା ତା’ର ସ୍ବର ଶୁଣିବାକୁ ମିଳେ ତା’ହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ।