fbpx

ଭୁଶୁଡିଲା ସୁଦାନ ସୁନା ଖଣି, ତଳେ ଚାପି ହୋଇ ଚାଲିଗଲା ୩୮ ଶ୍ରମିକଙ୍କ ଜୀବନ; ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ

କାଇରୋ,: ସୁଦାନର ପଶ୍ଚିମ କୋର୍ଡୋଫାନ୍‌ ଅଞ୍ଚଳରେ ଥିବା ସୁନା ଖଣିରେ ବଡ଼ ଧରଣର ଅଘଟଣ ଘଟିଛି । ସୁନା ଖଣି ମଧ୍ୟରେ ଶ୍ରମିକମାନେ ରହି କାର୍ଯ୍ୟ କରୁଥିବା ବେଳେ ହଠାତ୍‌ ଖଣିର କିଛି ଅଂଶ ଭୁଶୁଡ଼ି ପଡ଼ିବା ଫଳରେ ମାଟି ତଳେ ଚାପି ହୋଇ ୩୮ଜଣ ଶ୍ରମିକଙ୍କ ଜୀବନ ଚାଲି ଯାଇଛି । ତେବେ ଏହି ଅଞ୍ଚଳକୁ ନିଷେଧ କରାଯାଇଥିଲେ ବି ସ୍ଥାନୀୟ ଖଣି ମାଲିକ ଏହାକୁ ଖୋଳିବାକୁ ଶ୍ରମିକ ଲଗାଇଥିଲେ । ଫଳରେ ଏପରି ଅଘଟଣ ଘଟିଥିବା ସୁଦାନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ରାଜଧାନୀ ଖର୍ତୁମ ଠାରୁ ଦକ୍ଷିଣରେ ପ୍ରାୟ ୭୦୦ କିଲୋମିଟର ଦୂରରେ ଫୁଜ୍‌ ନାମକ ଗାଁରେ ଏହି ଦୁର୍ଘଟଣା ଘଟିଛି । ସୁଦାନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଉକ୍ତ ସୁନା ଖଣିଟି ବନ୍ଦ ପଡ଼ିଥିଲା । ଏକ ସରକାରୀ କମ୍ପାନୀ ଦ୍ୱାରା ଏହି ଖଣି ପରିଚାଳିତ ହେଉଥିଲା । କିନ୍ତୁ ଏବେ ଅନୁମତି ନଥିବା ସତ୍ତେ୍ୱ ଏହା ଭିତରେ କାର୍ଯ୍ୟ କିରି କରାଯାଉଥିବା ତାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଖଣି ମଧ୍ୟରେ କେତେକ ଲୋକ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ପହଞ୍ଚି ସେଠାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । କେବେ ଠାରୁ ଖଣିଟିକୁ ବନ୍ଦ କରି ଦିଆଯାଇଥିଲା, ସେ ସମ୍ପର୍କରେ କିଛି ସୂଚନା ଦିଆଯାଇ ନାହିଁ ।

Get real time updates directly on you device, subscribe now.