ଦୀଘାରେ ଜଗନ୍ନାଥ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ସୁଦର୍ଶନ ପଟ୍ଟନାୟକଙ୍କ ଚିଠି, ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ କଲେ ଅନୁରୋଧ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଭୁବନେଶ୍ବର: ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାମ ନେଉନାହିଁ । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ଦୀଘାରେ ଜଗନ୍ନାଥ ଧାମ ବିବାଦ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଦୀଘାକୁ ଜଗନ୍ନାଥ ଧାମ କହିବା ଧାର୍ମିକ ଭାବନାକୁ ଆଘାତ ଦେଇଛି । ଏନେଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ ପାଇଁ ସୁଦର୍ଶନ ପଟ୍ଟନାୟ ମୋଦୀଙ୍କୁ ଅନୁରୋଧ କରିଛନ୍ତି ।

ସୁଦର୍ଶନ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ନିକଟରେ ଦୀଘା ଜଗନ୍ନାଥ ମନ୍ଦିରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦଘାଟନ କରିଥିଲେ । ଏହାର ନାମ ଜଗନ୍ନାଥ ଧାମ ବୋଲି ଲେଖିଥିଲେ । ଯାହାକୁ ଦେଖିବା ପରେ ଭକ୍ତଙ୍କ ମନରେ ଅସନ୍ତୋଷ ଭାବ ଦେଖାଯିବା ସହିତ ବିବାଦ ଦେଖାଯାଇଥିଲା ।

ଦୀଘାରେ ତିଆରି କରାଯାଇଥିବା ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ନାଁ ଦିଆଯାଇଥିବା ବେଳେ ଏହା ଓଡିଆର ଧାର୍ମିକ ଭାବନାକୁ ଆଘାତ ଦେଇଛି । ଜଗନ୍ନାଥ ଧାମ କହିଲେ କେବଳ ପୁରୀ ଓଡ଼ିଶାକୁ ବୁଝାଏ ।

ଯଦି ପଶ୍ଚିମବଙ୍ଗରେ ମଧ୍ୟ ଏଭଳି ନାମକରଣ ହେବ ତେବେ ଲୋକଙ୍କ ମନରେ ଦ୍ବନ୍ଦ ଦେଖାଯିବ । ଏନେଇ ଉପଯୁକ୍ତ ପଦକ୍ଷେପ ନିଅନ୍ତୁ ବୋଲି ଲେଖିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।