fbpx

ମମତାଙ୍କ ପରେ ସୁଜିତ ଛାଡିଲେ ରାଜ୍ୟସଭା ସଦସ୍ୟତା, ଅଧ୍ୟକ୍ଷଙ୍କୁ ଦେଲେ ଇସ୍ତଫା ପତ୍ର

ଭୁବନେଶ୍ବରଛ ବିଜେଡିକୁ ଆଉ ଏକ ଝଟକ।। ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଦେଲେ ଇସ୍ତଫା । ନିଜ ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଦେଇଛନ୍ତି ସୁଜିତ । ସେପଟେ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେବା ପରେ ପରେ ବିଜେଡି ସୁପ୍ରିମୋ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି । ତେବେ ସୁଜିତ ବିଜେପିରେ ଅଳ୍ପ ସମୟରେ ସାମିଲ ହେବାକୁ ଯାଉଥିବା କୁହାଯାଉଛି ।
ସୁଜିତଙ୍କ ଇସ୍ତଫା ହେଉଛି ବିଜେଡିକୁ ଦ୍ୱିତୀୟ ଝଟକା । ପ୍ରଥମ ଝଟକା ମିଳିଥିଲା ମମତା ମହାନ୍ତଙ୍କଠାରୁ । ମମତା ମହାନ୍ତ ବିଜେଡିରୁ ଇସ୍ତଫା ଦେବା ପରେ ଶୁକ୍ରବାର ବିଜେଡି ରାଜ୍ୟସଭା ସାଂସଦ ରାଜ୍ୟସଭାରୁ ଦେଇଛନ୍ତି ଇସ୍ତଫା । ଇସ୍ତଫା ପତ୍ର ଗୃହର ଅଧ୍ୟକ୍ଷଙ୍କୁ ଦେଇଛନ୍ତି । ନିଜ କାର୍ଯ୍ୟକାଳ ସରିବାର ୨ ବର୍ଷ ପୂର୍ବରୁ ସୁଜିତ ରାଜ୍ୟସଭା ସଦସ୍ୟତା ଛାଡିଛନ୍ତି । ୨୦୨୬ରେ ତାଙ୍କ କାର୍ଯ୍ୟକାଳ ସରିବାକୁ ଥିଲା ।
ସେପଟେ ସୁଜିତଙ୍କ ଇସ୍ତଫା ସମ୍ପର୍କରେ ଜଣାପଡିବା କ୍ଷଣି ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ବହିଷ୍କାର କରି ଦେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ପଟ୍ଟନାୟକ ତାଙ୍କୁ ଦଳରୁ ତଡିଥିବା ବହିଷ୍କାର ନୋଟିଫିକେସନରେ ଉଲ୍ଲେଖ କରାଯାଇଛି । ତେବେ ସୁଜିତଙ୍କ ଇସ୍ତଫା ରାଜ୍ୟସଭାରେ ବିଜେଡିକୁ ଆହୁରି ଦୁର୍ବଳ କରି ଦେଇଛି । ଏବେ ରାଜ୍ୟ ସଭାରେ ବିଜେଡିର ସଦସ୍ୟଙ୍କ ସଂଖ୍ୟା ୭କୁ ଖସି ଆସିଛି । ଏହା ବିଜେଡିର ସବୁ ରଣନୀତିରେ ଧୂଳି ଦେବାପରି ମନେହେଉଛି ।
ଏହା ପୂର୍ବରୁ ମମତା ମହାନ୍ତ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେବା ସହ ଦଳରୁ ମଧ୍ୟ ଇସ୍ତଫା ଦେଇଥିଲେ । ଏହା ପରେ ମମତା ବିଜେପିରେ ସାମିଲ ହେବା ସହ ବିଜେପି ତାଙ୍କୁ ରାଜ୍ୟସଭା ପଠାଇ ଦେଇଛି । ଏବେ ସୁଜିତଙ୍କ ଇସ୍ତଫା ଦେଖି ସେ ମଧ୍ୟ ବିଜେପିରେ ସାମିଲ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି । ତେବେ ମମତାଙ୍କ ଇସ୍ତଫା ପରେ ବିଜେଡି ରାଜ୍ୟସଭା ପଦରୁ ସୁଜିତ ଇସ୍ତଫା ଦେବାନେଇ ଚର୍ଚ୍ଚା ହେଉଥିଲା । ସୁଜିତଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇ ଥିଲେ ମଧ୍ୟ ସୁଜିତ ଦଳର କାର୍ଯ୍ୟଧାରାରେ ଅନେକାଂଶରେ ଅସନ୍ତୁଷ୍ଟ ଥିଲେ । ବିଗତ ଦିନରେ ନିଜ ଅସନ୍ତୋଷ ସୁଜିତ ନିଜ ଏକ୍ସ ହ୍ୟାଣ୍ଡଲରେ ମଧ୍ୟ ଏକ୍ସପ୍ରେସ କରିଥିଲେ ।
କିନ୍ତୁ ସୁଜିତ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ ମଧ୍ୟ ଦଳ ତାଙ୍କୁ ବହିଷ୍କାର କରିବା ତାଙ୍କ ପରିପକ୍ୱତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେଉଁଠି ନା କେଉଁଠି ସୁଜିତ ମମତାଙ୍କ ପରି ରାଜନୀତିରେ ନିଜ ମାଚ୍ୟୁରିଟି ଦେଖାଇ ପାରି ନାହାନ୍ତି ବୋଲି ଚର୍ଚ୍ଚା ହେବାରେ ଲାଗିଛି । କାରଣ ସେ ଚାହିଁଥିଲେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଇସ୍ତଫା ଦେବା ସହ ଦଳ ସୁପ୍ରିମୋଙ୍କୁ ମଧ୍ୟ ନିଜ ଇସ୍ତଫା ପତ୍ର ଦେଇପାରିଥାନ୍ତେ ।
ତେବେ ସେ ଯାହା ହେଉ ନା କାହିଁକି, ଆଗକୁ ଯେ ସୁଜିତ ବିଜେପିରେ ସାମିଲ ହେବେ ତାହା ସ୍ପଷ୍ଟ ହୋଇଛି । ଖାଲି ସେତିକି ନୁହେଁ, ହୁଏତ ଆଗକୁ ବିଜେପି ମଧ୍ୟ ତାଙ୍କୁ ରାଜ୍ୟସଭାକୁ ପୁଣି ପଠାଇପାରେ, ଠିକ ମମତାଙ୍କ ପରି ।

 

Get real time updates directly on you device, subscribe now.