fbpx

ସୁଖୁଙ୍କ କାର୍ଯ୍ୟକାଳ ହିମାଚଳରେ ଖେଳାଇଛି ଅରାଜକତା, ବୃଦ୍ଧି ପାଉଛି ଜନ ଅସନ୍ତୋଷ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କୁ ସାମ୍ପ୍ରତିକ କାର୍ଯ୍ୟକାଳରେ କୁଶାସନ ଓ ପ୍ରତିଶ୍ରୁତି ପୂର୍ଣ୍ଣ କରିବାରେ ବିଫଳତା ପାଇଁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ଏକଦା ରାଜ୍ୟର ସମୃଦ୍ଧି ପାଇଁ ଜଣାଶୁଣା ସୁଖୁ ହଠାତ୍ ବିଫଳ ଶାସନ, ଅସମ୍ପୂର୍ଣ୍ଣ ପ୍ରତିବନ୍ଧତା ଓ ଲୋକଙ୍କ ଭିତରେ ବୃଦ୍ଧି ପାଉଥିବା ଅସନ୍ତୋଷ ପାଇଁ କୁଖ୍ୟାତି ଅର୍ଜନ କରିଛନ୍ତି ।

ଯେତେବେଳେ ସୁଖୁ ନିଜ ସରକାରର ଦାୟିତ୍ୱ ନେଲେ, ସେତେବେଳେ ବୁନିଆଦୀ ଢାଞ୍ଚାରେ ସୁଧାର, ବେରୋଜଗାରୀ ଦୂରିକରଣ, ହିମାଚଳ ପ୍ରଦେଶର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ ବହୁତ ଉଚ୍ଚକୋଟିର ପଦକ୍ଷେପ ନେଇଥିଲେ । କିନ୍ତୁ ବହୁ ପ୍ରତିଶ୍ରୁତି ଅପୂର୍ଣ୍ଣ ରହିଯାଇଛି । ଯାହାର ଜ୍ୱଳନ୍ତ ଉଦାହରଣ ମଧ୍ୟରୁ ଗୋଟିଏ ହେଉଛି ରାଜ୍ୟରେ ବେରୋଜଗାର ଭତ୍ତା ଯୋଜନା ଲାଗୁ କରିବା । ପ୍ରତିଶ୍ରୁତି ଦେଇ ବି ସୁଖୁ ବେରୋଜଗାରଙ୍କୁ ଭତ୍ତା ଦେବାରେ ବିଫଳ ହୋଇଛନ୍ତି । ବେରୋଜଗାର ଯୁବକ, ଯୁବତୀଙ୍କୁ ଭତ୍ତା ସହାୟତା ପ୍ରଦାନ ଉଦ୍ଦେଶ୍ୟରେ ପ୍ରସ୍ତୁତ ଏହି ଯୋଜନା ଏଯାବତ୍ ସଫଳ ହୋଇପାରି ନାହିଁ । ସେହିପରି ରାଜ୍ୟରେ ଗାଁର ସଡକ, ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ଦିଗରେ କୌଣସି ପ୍ରଗତି ଦେଖିବାକୁ ମିଳୁନାହିଁ । ଯାହାକୁ ନେଇ ଲୋକଙ୍କ ଚକ୍ଷୁଶୂଳ ହୋଇଛି ସୁଖୁ ସରକାର ।

ତେବେ ଖାଲି ପ୍ରତିଶ୍ରୁତି ପୂରଣରେ ସୁଖୁ ସରକାର ବିଫଳ ହୋଇ ନାହିଁ, ରାଜ୍ୟରେ କୁଶାସନ ବୃଦ୍ଧି ପାଇଥିବା ଅଭିଯୋଗ ହେଉଛି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା, ଶିକ୍ଷା ପରି ଆବଶ୍ୟକୀୟ ସେବାରେ ଲଗାତାର ସମସ୍ୟା ଦେଖିବାକୁ ମିଳୁଛି । ରାଜ୍ୟର ହସ୍ପିଟାଲରେ ଭିତ୍ତିଭୂମିଗତ ସୁବିଧାରେ ଅଭାବ ଓ ସରକାରୀ ସ୍କୁଲରେ ଶିକ୍ଷକ ଓ ସାଧନର ଅଭାବ ରହିଛି । ରାଜ୍ୟର ପ୍ରଶାସନିକ କଳରେ ଶିଥିଳତା ଦେଖିବାକୁ ମିଳୁଛି । ଅମଲାତନ୍ତ୍ରର ସ୍ଥାଣୁତା ସ୍ଥିତିକୁ ଆହୁରି ଖରାପ କରିଦେଉଛି । ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସକ୍ରିୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । କୌଣସି ସଂକଟ ଉକ୍ରଟ ରୂପ ନେବା ପରେ ହିଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ଦେଖିବାକୁ ମୁଳୁଛି ।

ସିମଲାରେ କଥିତ ରୂପେ ଜନସଂଖ୍ୟା ସମୀକରଣ ପରିବର୍ତ୍ତନ ସହ ଜଡିତ ବିବାଦ ରାଜ୍ୟ ସରକାରର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ ସିମଲାର ଏକ ମସଜିଦ ସମ୍ମୁଖରେ ସ୍ଥାନୀୟ ଲୋକଙ୍କ ସହ ଆନ୍ଦୋଳନକାରୀଙ୍କ ବିରାଟ ସମାବେଶ ହୋଇଥିଲା । ପ୍ରଦର୍ଶନରେ ଉକ୍ତ ମସଜିଦକୁ ଅବୈଧ କହି, ରାଜ୍ୟ ସରକାର ଅବୈଧ ନିର୍ମାଣରେ ଆଖି ବୁଜି ଶୋଇଥିବା ଅଭିଯୋଗ ହୋଇଥିଲା, ଯାହାକୁ ନେଇ ବାହାରର ଲୋକ ସେଠି ଏକାଠି ହୋଇଥିଲେ । । ବାହାର ଲୋକଙ୍କର ପ୍ରଦର୍ଶନରେ ସାମିଲ ସତ୍ତେ୍ୱ ପ୍ରସଙ୍ଗକୁ ଅଣଦେଖା କରିଥିଲା ସୁଖୁ ସରକାର । ଏବେ ଲୋକଙ୍କୁ ଲାଗୁଛି ଜନସଂଖ୍ୟାର ପ୍ରକୃତିରେ ପରିବର୍ତ୍ତନ ହୋଇଛି । ସିମଲାର ସାଂସ୍କୃତିକ ଜନସଂଖ୍ୟା ସମିକରଣ ସୁରକ୍ଷାରେ ପର୍ଯ୍ୟାପ୍ତ ନୁହେଁ ସରକାରର କାର୍ଯ୍ୟଧାରା । ଘଟଣାକ୍ରମ ସହରରେ ବିବାଦ ସୃଷ୍ଟି କରୁଛି, ଯାହା ସିମଲାର ସାମାଜିକ ଜୀବନର ଦୀର୍ଘକାଳୀନ ସ୍ଥିରତା ପାଇଁ ଚିନ୍ତାର କାରଣ ହୋଇଛି।

ନିକଟରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସୁଖୁ ଘୁମେଇ ପଡିବାର ଏକ ଫଟୋ ଭାଇରାଲ ହେଉଛି, ଯାହା ରାଜ୍ୟରେ କୁଶାସନର ଧାରଣାକୁ ଆହୁରି ବଳବତ୍ତର କରିଦେଇଛି । ଏହି ଫଟୋ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କରୁଛି । କାରଣ ଫଟୋଟି ଏମିତି ସମୟରେ ସାମ୍ନାକୁ ଆସୁଛି, ଯେତେବେଳେ କି ରାଜ୍ୟ ସରକାର, ସରକାରୀ କର୍ମଚାରୀଙ୍କୁ ବେତନ ଦେବାରେ ବିଫଳ ହୋଇଥିବାର ଅଭିଯୋଗ ଆସୁଛି । ଶିକ୍ଷକ, ସ୍ୱାସ୍ଥ୍୍ୟ କର୍ମୀ ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ବେତନ ନ ମିଳିବାକୁ ନେଇ ଅସନ୍ତୋଷ ରହିଛି । ରାଜ୍ୟରେ ବ୍ୟାପକ ବିରୋଧ ପ୍ରଦର୍ଶନ ହେଉଛି । ଦରମା ଦେବାରେ ସରକାରର ଅକ୍ଷମତା କର୍ମଚାରୀଙ୍କୁ ବିଭିନ୍ନ ସମସ୍ୟା ମଧ୍ୟକୁ ଠେଲିଦେଉଛି ।

ସୁଖୁଙ୍କ ସମୟରେ ସବୁଠୁ ଅଧିକ ଚିନ୍ତା ବଢାଇଛି ରାଜ୍ୟରେ ନିଶା କାରବାର ବୃଦ୍ଧି । ଶାନ୍ତ, ସୁନ୍ଦର ଓ ପର୍ଯ୍ୟଟନ ପାଇଁ ଜଣାଶୁଣା ପ୍ରସିଦ୍ଧ ଏହି ରାଜ୍ୟ ଏବେ ନିଶା କବଳରେ ଛନ୍ଦି ହୋଇଯାଇଛି । ରାଜ୍ୟରେ ନିଶା ଔଷଧର ବୃଦ୍ଧି ହୋଇଛି । କୁଲ୍ଲୁ, ମନାଲି ଓ ମଣ୍ଡି ପରି ସହରରେ ଏହି ନିଶା ସାମଗ୍ରୀର ତସ୍କରୀ ରିପୋର୍ଟ ହେଉଛି । ରାଜ୍ୟ ସରକାର ଏହି ସଂକଟର ମୁକାବିଲା ପାଇଁ ନେଉଥିବା ପଦକ୍ଷେପକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି । କାହିଁକି ନା, ଆଇନରେ ପରିବର୍ତ୍ତନ ପ୍ରୟାସ ବିଫଳ ହେବା ପରି ମନେ ହେଉଛି ଜନତାଙ୍କୁ । ନିଶା କାରବାର ଉପରେ ନିୟନ୍ତ୍ରଣ ଆଣିବାକୁ ଏକ ସୁସଂଗଠିକ ରଣନୀତିର ଅଭାବ ପାଇଁ ରାଜ୍ୟର ଯୁବପିଢି ନିଶା ଔଷଧ କବଳରୁ ମୁକୁଳି ପାରୁୁ ନାହାନ୍ତି, ଯାହା ସେମାନଙ୍କ ଭବିଷ୍ୟତକୁ ଅନ୍ଧାର ଆଡକୁ ଠେଲି ଦେଉଛି ।

ଏହି ସବୁ କାରଣକୁ ନେଇ ଅନେକଙ୍କ କହିବା କଥା, ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ସୁଖବିନ୍ଦର ସିଂହ ସୁଖୁଙ୍କ ଶାସନ ସମୟ କୁଶାସନ, ଅସମ୍ପୂର୍ଣ୍ଣ ପ୍ରତିଶ୍ରୁତି ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧିର ସରକାର ହୋଇଛି । ଯେମିତି ଯେମିତି ଅସନ୍ତୋଷ ବୃଦ୍ଧିପାଉଛି, ଏହା ସ୍ପଷ୍ଟ ହେଉଛି କି, ରାଜ୍ୟବାସୀ ନିଜ ମୁଖ୍ୟମନ୍ତ୍ରୀଙ୍କ ଶାସନ ଉପରୁ ବିଶ୍ୱାସ ହରାଇ ବସୁଛନ୍ତି ।

Get real time updates directly on you device, subscribe now.