ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣା, ଜେଲ ଗଲେ ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ
ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ଜେଲ ଗଲେ ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ । ବିନା କାଗଜ ପତ୍ରରେ କରୁଥିଲେ କାରବାର ।
ଭୁବନେଶ୍ବର: ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ଘଟଣାରେ ଜେଲ ଗଲେ ବାରୁଦ ବ୍ୟବସାୟୀ ଶ୍ରବଣ ଅଗ୍ରୱାଲ । କୋର୍ଟରେ ହାଜର ପରେ ଜେଲ ଗଲେ । ବିନା କାଗଜ ପତ୍ରରେ କାରବାର କରୁଥିବା ମାନିଲେ ଶ୍ରବଣ । ତେବେ ସ୍ବାମୀ-ସ୍ତ୍ରୀଙ୍କୁ ମୁହାଁମୁହିଁ ଜେରା ପରେ ସତ ମାନିଲେ ଦମ୍ପତ୍ତି । ଏପଟେ ମାଓବାଦୀ ଲିଙ୍କ ନେଇ ଖୋଲତାଡ଼ କରୁଛି ପୋଲିସ।
ପ୍ରକାଶଥାଉକୁ, ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାରେ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଓ ତାଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଶୁକ୍ରବାର ରାତି 12ଟା ଯାଏଁ ଗୁରେଇ ତୁରେଇ ଜେରା କରିଥିଲା ଏସ୍ଆଇଟି । ସ୍ବାମୀ-ସ୍ତ୍ରୀଙ୍କୁ ଜେରା ବେଳେ 34ଟି ପ୍ରଶ୍ନ ପଚରାଯାଇଥିବା କୁହାଯାଉଛି ।
ଏସ୍ଆଇଟି ଜେରା ବେଳେ ଅଧିକାଂଶ ସମୟରେ ଚୁପ୍ ରହିଥିଲେ ନିକିତା । ସେହିପରି ଶ୍ରବଣ ମଧ୍ୟ ଦୁଇ ଥର ପାଣି ମାଗିବା ସହ ଜଣେ ବାଥ୍ରୁମ୍ ଯାଇଥିବା ଜଣାପଡ଼ିଛି । କେବେଠାରୁ ଦୁଇ ଜଣ ବିସ୍ଫୋରକ ସାମଗ୍ରୀ କାରବାର କରୁଥିଲେ । ଏମାନଙ୍କ ଲିଙ୍କ ଆଉ କାହା ସହ ରହିଛି । ଏନେଇ ଉଭୟ ଏସ୍ଆଇଟି ଅଧିକାରୀ ଓ ପୁଲିସ ପ୍ରଶ୍ନ କରିଥିଲେ । ଏହା ସହିତ ଶ୍ରବଣଙ୍କ ନକ୍ସଲ ଲିଙ୍କ୍ ରହିଛି କି ନାହିଁ ଜେରା କରିଥିଲେ ଅଧିକାରୀ ।
ସେପଟେ ଦୁଇ ଦିନିଆ ରିମାଣ୍ଡରେ ଥିବା ଶ୍ରବଣ ଅଗ୍ରୱାଲଙ୍କୁ ଆଜି ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ବିନା କାଗଜ ପତ୍ରରେ କାରବାର କରୁଥିବା ଶ୍ରବଣ ମାନିବାରୁ ଆଜି ତାଙ୍କୁ ଜେଲ ହୋଇଛି ।