ନୂଆଦିଲ୍ଲୀ: ଗାବା ଟେଷ୍ଟରେ ଟିମ୍ ଇଣ୍ଡିଆର ଅବସ୍ଥା ଖରାପ ରହିଛି। ବ୍ରିସବେନର ଗାବାଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗ ପ୍ରାୟ ଫ୍ଲପ୍ ହୋଇଯାଇଛି। ସେପଟେ ପୂର୍ବତନ ଭାରତୀୟ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଉପରେ କ୍ରୋଧିତ ଥିବା ଦେଖିବାକୁ ମିଳିଛି। ତେବେ ଆସନ୍ତୁ ଜାଣିବା କିମ୍ବଦନ୍ତୀ ଗାଭାସ୍କର କାହିଁକି ସିରାଜଙ୍କ ଉପରେ ରାଗିଥିଲେ। ବାସ୍ତବରେ ଭାରତୀୟ ଇନିଂସର ୬୨ତମ ଓଭରରେ ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିଲେ।
ଓଭରର ଚତୁର୍ଥ ବଲରେ ଜାଡେଜା ଗୋଟିଏ ଓ ସିରାଜ ଷ୍ଟ୍ରାଇକ୍ ରେ ଆସିଥିଲେ। ଏହାପରେ ସିରାଜ ପରବର୍ତ୍ତୀ ବଲରେ ବିପଦପୂର୍ଣ୍ଣ ସିଙ୍ଗଲ ନେବାକୁ ଚେଷ୍ଟା କରିଥିଲେ, ଯେଉଁଥିପାଇଁ ତାଙ୍କ ସହ କ୍ରିଜ୍ ରେ ଥିବା ଜାଡେଜା ମଧ୍ୟ ଅସନ୍ତୁଷ୍ଟ ଥିବା ଦେଖାଯାଇଥିଲା। ସିଙ୍ଗଲ ପୂରା ହୋଇପାରିନଥିଲା, କିନ୍ତୁ ସିଧାସଳଖ ଥ୍ରୋ ହେଲେ ଟିମ୍ ଇଣ୍ଡିଆ ଆଉ ଏକ ୱିକେଟ୍ ହରାଇପାରିଥାନ୍ତା। ଏହି ଘଟଣାକୁ ନେଇ ଗାଭାସ୍କର କ୍ଷୁବ୍ଧ ହୋଇଥିଲେ। ଷ୍ଟାର ସ୍ପୋର୍ଟସରେ ସୁନୀଲ ଗାଭାସ୍କର କହିଛନ୍ତି, ” ସେମାନେ ଏବେ ବି କ୍ରିଜ୍ ମଝିରେ କଥା ବାର୍ତ୍ତା କରୁଛନ୍ତି। ସିରାଜ କଥାବାର୍ତ୍ତା କରୁଛନ୍ତି। କଣ ଚାଲିଛି? ଓଭରରେ ଗୋଟିଏ ବଲ୍ ବାକି ରହିଛି।
ଆପଣଙ୍କୁ କେବଳ ସେଠାରେ ରହିବାକୁ ପଡିବ । ସେଠାରେ କୌଣସି ରନର ନାହିଁ। ଏହା ବହୁତ କାଜୁଆଲ ଦେଖାଯାଉଛି । ତାହା ଦେଖନ୍ତୁ। କ୍ରିକେଟକୁ ନେଇ କିଛି ସଚେତନତା ରହିବା ଦରକାର। ଆପଣ ୯ ନମ୍ବର ବ୍ୟାଟ୍ସମ୍ୟାନ୍। ଦଳ ବିଷୟରେ ଚିନ୍ତା କରିବାକୁ ପଡ଼ିବ। ଆପଣ ବିପଦପୂର୍ଣ୍ଣ ସିଙ୍ଗଲ ନେବା ବିଷୟରେ ଚିନ୍ତା କରିପାରିବେ ନାହିଁ। “