ନିଆଁ ଖୋଲିଦେଲା ଜଜଙ୍କ କଳାଗୁମର, ସୁପ୍ରିମକୋର୍ଟ ଦେଲେ ବଡ଼ ବୟାନ, କହିଲେ…

ନୂଆଦିଲ୍ଲୀ,୨୧ା୩: ସୁପ୍ରିମକୋର୍ଟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିଷୟରେ ଚାଲିଥିବା ଚର୍ଚ୍ଚାକୁ ସ୍ପଷ୍ଟ କରିଛନ୍ତି। ଏହି ପ୍ରକାଶନରେ ସୁପ୍ରିମକୋର୍ଟ ସ୍ୱୀକାର କରିଛନ୍ତି ଯେ, ସୁପ୍ରିମକୋର୍ଟ କଲେଜିୟମ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କଠାରୁ ଜଷ୍ଟିସ୍ ବର୍ମାଙ୍କ ମାମଲା ଉପରେ ରିପୋର୍ଟ ମାଗିଛନ୍ତି। ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ତାଙ୍କ ସ୍ତରରେ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ମାର୍ଚ୍ଚ ୨୧  ସନ୍ଧ୍ୟା ସୁଦ୍ଧା ସୁପ୍ରିମକୋର୍ଟରେ ତାଙ୍କ ରିପୋର୍ଟ ଦାଖଲ କରିବେ।

ଏହା ମଧ୍ୟ କୁହାଯାଇଛି ଯେ, ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ବ୍ୟତୀତ ଜଷ୍ଟିସ ବର୍ମାଙ୍କଠାରୁ ସ୍ପଷ୍ଟୀକରଣ ମଧ୍ୟ ମାଗିଛନ୍ତି। ଏହି ଉତ୍ତରଗୁଡିକ ଦେଖିବା ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିବା ପରେ ସୁପ୍ରିମକୋର୍ଟ କଲେଜିୟମ୍ ଏ ବାବଦରେ ଆଉ କୌଣସି ପ୍ରସ୍ତାବ ପାସ୍ କରିବେ।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର ପ୍ରସ୍ତାବ ଏହି ଆଭ୍ୟନ୍ତରୀଣ ତଦନ୍ତଠାରୁ ଅଲଗା ପ୍ରକ୍ରିୟା। ଯେହେତୁ ଏହି ଘଟଣା ଦିଲ୍ଲୀରେ ଘଟିଥିଲା, ତେଣୁ ତାଙ୍କୁ ଏଠାରେ ପୋଷ୍ଟରେ ରଖିବା ଠିକ୍ ହେବ ନାହିଁ। ପ୍ରେସ ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି, ଦିଲ୍ଲୀ ହାଇକୋର୍ଟରେ ସିନିୟର ଅର୍ଡରରେ ଜଷ୍ଟିସ୍ ବର୍ମା ତୃତୀୟ ସ୍ଥାନରେ ଥିବାବେଳେ ଆହ୍ଲାବାଦ ହାଇକୋର୍ଟରେ ସେ ସିନିୟର ଅର୍ଡରରେ ନବମ ସ୍ଥାନରେ ରହିବେ।

ଏହି ପ୍ରେସ ବିଜ୍ଞପ୍ତି ଆରମ୍ଭରେ କୁହାଯାଇଛି, ଜଷ୍ଟିସ ବର୍ମାଙ୍କ ଘରେ ଘଟିଥିବା ଘଟଣାକୁ ନେଇ ଅନେକ ପ୍ରକାରର ଭୁଲ ତଥ୍ୟ ଏବଂ ଗୁଜବ ପ୍ରଚାର କରାଯାଉଛି। ପ୍ରକାଶ ଥାଉକି, ଏହି ପ୍ରକାଶନରେ କୌଣସି ଜାଗାରେ ଜଷ୍ଟିସ୍ ବର୍ମାଙ୍କ ଘରେ ବିପୁଳ ପରିମାଣର ନଗଦ ଅର୍ଥ ସମ୍ପର୍କିତ ଖବର ପ୍ରତ୍ୟାଖ୍ୟାନ ହୋଇନାହିଁ। ଏହା କେବଳ କୁହାଯାଇଛି ଯେ, ସୁପ୍ରିମକୋର୍ଟ କଲେଜିୟମ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତିଙ୍କଠାରୁ ରିପୋର୍ଟ ମାଗିଛନ୍ତି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ନିଷ୍ପତ୍ତି ନିଆଯିବ।