ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଇଲେକ୍ଟୋରାଲ ବଣ୍ଡର ବୈଧତା ନେଇ ଦେଶର ସର୍ବୋଚ୍ଚ ଅଦାଲତ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ଇଲେକ୍ଟୋରାଲ ବଣ୍ଡ ସୂଚନା ଅଧିକାର ଉଲ୍ଲଂଘନ । ଦଳମାନଙ୍କର ଫଣ୍ଡିଂ ବିଷୟରେ ଜାଣିବାର ଅଧିକାର ଭୋଟରଙ୍କର ରହିଛି । କଳାଧନ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ସୂଚନା ଅଧିକାରର ଉଲ୍ଲଂଘନ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼, ସଞ୍ଜୀବ ଖାନ୍ନା, ବିଆର ଗାଭାଇ, ଜେବି ପାର୍ଦିୱାଲା ଓ ମନୋଜ ମିଶ୍ରଙ୍କୁ ନେଇ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ । ଇଲେକ୍ଟୋରାଲ ବଣ୍ଡକୁ ଅଣସାମ୍ବିଧାନିକ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏଥିସହିତ ସରକାରଙ୍କ ନିକଟକୁ ଅର୍ଥ କେଉଁ ସୂତ୍ରରୁ ଆସୁଛି ତାହା ଜାଣିବାର ଅଧିକାର ନାଗରିକଙ୍କର ରହିଛି ବୋଲି ଅଦାଲତ କହିଛନ୍ତି ।
ରାଜନୈତିକ ଦଳମାନେ ଫଣ୍ଡିଂ ବାବଦରେ ତଥ୍ୟ ନଦେବା ସେମାନଙ୍କର ଉଦ୍ଦେଶ୍ୟର ବିପରୀତ ବୋଲି ସିଜେଆଇ କହିଛନ୍ତି । ଏସବିଆଇକୁ ୨୦୧୯ ମସିହା ଏପ୍ରିଲ ୧୨ ତାରିଖ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ସାର୍ବଜନିକ ପରିବାକୁ ପଡ଼ିବ । ଏସବିଆଇ ଏହି ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବ । ୩ ସପ୍ତାହ ମଧ୍ୟରେ ଏହି ତଥ୍ୟ ଦେବାକୁ ଏସବିଆଇ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହାରେ ଏହି ବଣ୍ଡର ଶୁଭାରମ୍ଭ ହୋଇଥିଲା । ରାଜନୈତିକ ଦଳର ଫଣ୍ଡିଂରେ ପାରଦର୍ଶିତା ଆସିବା ସହ ଅର୍ଥ ହାସଲରେ ସ୍ୱର୍ଚ୍ଛତା ଆସିବ ବୋଲି କୁହାଯାଇଥିଲା । କୌଣସି ବ୍ୟକ୍ତି, କର୍ପୋରେଟ, ସଂସ୍ଥା ବଣ୍ଡ କିଣି ରାଜନୈତିକ ଦଳମାନଙ୍କୁ ଚାନ୍ଦା ଆକାରରେ ଦେଉଥିଲେ ଓ ରାଜନୈତିକ ଦଳମାନେ ଏହି ବଣ୍ଡକୁ ବ୍ୟାଙ୍କରେ ଦାଖଲ କରି ଅର୍ଥ ହାସଲ କରୁଥିଲେ । ଏସବିଆଇର ୨୯ଟି ଶାଖାରେ ନିର୍ବାଚନୀ ବଣ୍ଡ ଗ୍ରହଣ କରାଯାଇଥିଲା । ଏହି ଶାଖାଗୁଡ଼ିକ ନୂଆଦିଲ୍ଲୀ, କୋଲକାତା, ଗାନ୍ଧିନଗର, ଚଣ୍ଡିଗଡ଼, ରାଞ୍ଚି, ଭୋପାଳ, ଜୟପୁର ଓ ବେଙ୍ଗାଲୁରୁରେ ରହିଥିଲା ।