fbpx

ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏସ୍. ନରିମନଙ୍କ ଦେହାନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏବଂ ବିଶିଷ୍ଟ ଆଇନଜୀବୀ ଫାଲି ଏସ୍ ନରିମନଙ୍କ ବୁଧବାର ଦେହାନ୍ତ ହୋଇଛି । ସେ ୯୫ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଏନେଇ କଂଗ୍ରେସ ନେତା ଅଭିଷେକ ସିଙ୍ଘୱି ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଗୋଟିଏ ଯୁଗର ଅନ୍ତ ହେଲା । ସିଏ ଲିଭିଙ୍ଗ୍ ଲେଜେଣ୍ଡ ଥିଲେ । ଆଇନ୍ ଏବଂ ସାଧାରଣ ଜୀବନ ସହ ଜଡ଼ିତ ଲୋକଙ୍କ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ । ସେ ତାଙ୍କ ସିଦ୍ଧାନ୍ତ ଉପରେ ସବୁବେଳେ ଦୃଢ଼ ଥିଲେ ।’

୧୯୫୦ ମସିହାରୁ ବମ୍ବେ ହାଇକୋର୍ଟରୁ ଓକିଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ ଫାଲି ଏସ୍ ନରିମନ୍ । ୧୯୬୧ରେ ତାଙ୍କୁ ବରିଷ୍ଠ ଓକିଲ ଭାବରେ ନିଯୁକ୍ତ କରାଗଲା । ୭୦ରୁ ଅଧିକ ବର୍ଷ ପର୍ଯ୍ୟନ୍ତ ସେ ଓକିଲାତି କରିଛନ୍ତି । ପରେ ୧୯୭୨ରେ ସୁପ୍ରିମକୋର୍ଟରେ ବଡ଼ ବଡ଼ ମାମଲା ଲଢ଼ିଥିଲେ । ଭାରତୀୟ ସମ୍ବିଧାନ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ଧାରଣା ଥିବାରୁ ୧୯୭୫ରେ ସଲିସିଟର ଜେନେରାଲ୍ ଭାବରେ ନିଯୁକ୍ତ ହୋଇଥିଲେ । ତେବେ ସେହି ବର୍ଷ ଜୁନରେ ତକ୍ରଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ଜରୁରୀକାଳୀନ ଘୋଷଣାକୁ ବିରୋଧ କରି ନିଜ ପଦରୁ ଇସ୍ତଫା ଦେଇଥିଲେ । ୧୯୯୧ରେ ତାଙ୍କୁ ପଦ୍ମ ଭୂଷଣ ଏବଂ ୨୦୦୭ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା । ଜଣେ ଅଭିଜ୍ଞ ଆଇନଜୀବୀ ସହ ସେ ଉତ୍ତମ ଲେଖକ ମଧ୍ୟ ଥିଲେ । ‘ଦି ଷ୍ଟେଟ୍ ଅଫ୍ ନେସନ୍’, ‘ଗଡ୍ ସେଭ୍ ଦି ଅନରେବଲ ସୁପ୍ରିମକୋର୍ଟ’ ଏବଂ ତାଙ୍କ ଆତ୍ମକଥା ‘ବିଫୋର୍ ମେମୋରୀ ଫେଡ୍ସ’ ଭଳି ପୁସ୍ତକ ଲେଖିଥିଲେ ।

Get real time updates directly on you device, subscribe now.