ଧାରା ୩୭୦କୁ ନେଇ ସୁପ୍ରିମକୋର୍ଟ ଶୁଣାଇଲେ ନିଜର ରାୟ, ଦେଲେ ଏହି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ:  ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ଏହାକୁ ଦୁଇ କେନ୍ଦ୍ର ଶାସିତ ପ୍ରଦେଶରେ ବାଣ୍ଟିବା ବିରୁଦ୍ଧରେ ଦାଖଲ ଯାଚିକା ଉପରେ ଆଜି ସୁପ୍ରିମକୋର୍ଟ ତାଙ୍କର ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ , ବିଚାରପତି ସଂଜୟ କିଷନ କୌଲ, ସଞ୍ଜୀବ ଖାନ୍ନା, ବିଆର୍ ଗୱଇ, ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ୫ ଜଣିଆ ପୀଠ ଆଜି ଏହି ନିଷ୍ପତ୍ତିି ଶୁଣାଇଛନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ୫ ଜଣ ବିଚାରପତି ୩ ପ୍ରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଅନ୍ତିମ ନିଷ୍ପତ୍ତି ସମାନ ଅଟେ । ମୁଖ୍ୟ ବିଚାରପତି କହିଛନ୍ତି ଧାରା ୩୭୦ ଏକ ଅସ୍ଥାୟୀ ପ୍ରାବଧାନ ଥିଲା । ଏଣୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ । ଜାମ୍ମୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ଥିଲା ଓ ରହିବ । ସେ କହିଛନ୍ତି ଦେଶ ସ୍ୱାଧୀନତା ସମୟରେ ଯେତେବେଳେ ଜାମ୍ମୁ କାଶ୍ମୀର ଭାରତରେ ବିଲୟ ହୋଇଥିଲା ସେହି ସମୟରୁ ଏହାର ସ୍ୱତନ୍ତ୍ରତା ଶେଷ ହୋଇଯାଇଥିଲା । ଏଣୁ ଜାମ୍ମୁ କାଶ୍ମୀରର ସମ୍ବିଧାନ ଭାରତୀୟ ସମ୍ବିଧାନ ମଧ୍ୟରେ ହିଁ ଆସିବ । ଭାରତୀୟ ସମ୍ବିଧାନ ଅନୁସାରେ ଏହି ରାଜ୍ୟ ଦେଶ ଉପରେ ରହିପାରିବ ନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ କି ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠାଇ ଦିଆଯାଇଥିଲା । ଏହି ଉଚ୍ଛେଦ ଓ ଜାମ୍ମୁ କାଶ୍ମୀର ପୁନଃଗଠନ ଅଧିନିୟମ ୨୦୧୯କୁ ଆହ୍ୱାନ କରି ବହୁ ଯାଚିକା ସମ୍ବିଧାନ ପୀଠକୁ ପଠାଯାଇଥିଲା । ଏହା ଉପରେ ବହୁଦିନ ପର୍ଯ୍ୟନ୍ତ ଶୁଣାଣୀ ହେବା ପରେ ଆଜି ସର୍ବୋଚ୍ଚ ନ୍ୟାୟଳୟ ନିଜର ରାୟ ଶୁଣାଇଛନ୍ତି । ୫ ଅଗଷ୍ଟ ୨୦୧୯ରେ ଜାମ୍ମୁ କାଶ୍ମୀର ଉପରେ କେନ୍ଦ୍ର ସରକାର ନେଇଥିବା ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ମୋହର ଲଗାଇଛନ୍ତି ।
ସେହିପରି ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ଉପରେ ଟିପ୍ପଣୀ ରଖି ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ କହିଛନ୍ତି କୋର୍ଟ ଏହା ଉପରେ ନିଷ୍ପତ୍ତି ଶୁଣାଇବାର ଆବଶ୍ୟକତା ନାହିଁ । କାରଣ ଆବେଦନକର୍ତ୍ତା ଏହା ଉପରେ କୌଣସି ଆବେଦନ କରିନାହାନ୍ତି । ମୁଖ୍ୟ ବିଚାରପତି କହିଛନ୍ତି ରାଷ୍ଟ୍ରପତି ଶାସନ ସମୟରେ ରାଜ୍ୟ ପକ୍ଷରୁ ସଂଘ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଆହ୍ୱାନ କରାଯାଇପାରିବ ନାହିଁ । ଏହାଦ୍ୱାରା ରାଜ୍ୟ ଶାସନ ଠପ୍ ହୋଇଯିବ ।