ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ, ଏନକାଉଣ୍ଟର ଭୟରେ ୨୪ ଘଣ୍ଟାରେ ଆତ୍ମସମର୍ପଣ କଲେଣି ୩୮ ମାଓବାଦୀ

ବଢ଼ୁଛି ଯବାନଙ୍କ ସର୍ଚ୍ଚ ଅପରେସନ। ଘାଇଲା ହୋଇଗଲେଣି ମାଓବାଦୀ। ମୃତ୍ୟୁ ଭୟରେ କରୁଛନ୍ତି ଆତ୍ମସମର୍ପଣ।

ଛତିଶଗଡ଼: ରାଜ୍ୟ ହେଉ ଅବା ଦେଶରେ ସୁରକ୍ଷାକର୍ମୀଙ୍କ ପରାକ୍ରମ ଦେଖିସାରିଲେଣି ମାଓବାଦୀ। ଭାରତୀୟ ସୈନିକ ପ୍ରାଣପଣେ ଲାଗିପଡ଼ିଛନ୍ତି ସମସ୍ତ ଅଞ୍ଚଳକୁ ମାଓବାଦୀ ଶୂନ୍ୟ କରିବାରେ। ତେଣୁ ଏବେ ଅନେକ ସ୍ଥାନରୁ ମାଓବାଦୀଙ୍କ ଏନକାଉଣ୍ଟର ଖବର ସାମ୍ନାକୁ ଆସୁଛି।

ଆଉ ସେପଟେ ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ କରୁଛନ୍ତି ମାଓବାଦୀ। ନିଜ ଜୀବନ ବଞ୍ଚାଇବାକୁ ଅପରାଧର ରାସ୍ତାରୁ ଓହରି ଆସୁଛନ୍ତି। ନିଜେ ଆସି ପୋଲିସ ପାଖରେ ଧରା ଦେଉଛନ୍ତି।

ଏନକାଉଣ୍ଟର ଭୟ: କାହାକୁ ବା ମରିବାକୁ ଭଲ ଲାଗେ। ସିଏ ଜଣେ ଅପରାଧୀ ହେଉ କିମ୍ୱା ସାଧାରଣ ଲୋକ। ମରଣ କଥା ମନକୁ ଆସିଲେ ଛାନିଆ ପସିଯାଏ। ଠିକ୍ ସେହିପରି ଏବେ ଭାରତୀୟ ସେନାଙ୍କ ଟାର୍ଗେଟରେ ରହିଛନ୍ତି ମାଓବାଦୀ।

ଯେଉଁଠି ଦେଖୁଛନ୍ତି ସିଧା ଏନକାଉଣ୍ଟର କରିଦେଉଛନ୍ତି। ତେଣୁ ନିଜ ଜୀବନ ବଞ୍ଚାଇବାକୁ ଆତ୍ମସମର୍ପଣ କରିବାକୁ ଦୌଡ଼ି ଆସୁଛନ୍ତି ପୁଳାପୁଳା ମାଓବାଦୀ। ୨୪ ଘଣ୍ଟା ଭିତରେ ଆତ୍ମସମର୍ପଣ କଲେଣି ୩୮ଜଣ ମାଓବାଦୀ।

ମାଓବାଦୀଙ୍କ ଆତ୍ମସମର୍ପଣ: ମାଓବାଦୀଙ୍କୁ ଘାରିଛି ମୃତ୍ୟୁ ଭୟ। ଜୀବନ ବଞ୍ଚାଇବା ପାଇଁ ଗତ ୨୪ ଘଣ୍ଟାରେ ଛତିଶଗଡ ସୁକୁମା ଓ ନାରାୟଣପୁର ଜିଲ୍ଲାର ୩୮ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଗତ କାଲି ନାରାୟଣପୁର ଜିଲ୍ଲା କୁତୁଲ ଥାନା ଅଂଚଳର ୭ ମହିଳାଙ୍କ ସମେତ ୨୯ ମାଓବାଦୀ ଆତ୍ମସମର୍ପଣ କରିଥିଲେ।

ସୁକୁମା ପୁଲିସ ନିକଟରେ ୭ ମହିଳାଙ୍କ ସମେତ ୭ ହାର୍ଡକୋର ମାଓବାଦୀ ସଙ୍ଗଠନ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୨ ମାଓ ଦମ୍ପତ୍ତି ଥିବାବେଳେ ସମସ୍ତ ୯ ମାଓବାଦୀଙ୍କ ନାଁରେ ୫୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ଥିବା ଜଣା ପଡିଛି।

ଗତ କିଛି ଦିନ ଧରି ଅବୁଝମାଡ ଓ ଦକ୍ଷିଣ ବସ୍ତର ଜଙ୍ଗଲରେ ଲଗାତାର ବଢୁଥିବା ଯବାନଙ୍କ ଅପରେସନ୍‌ ଯୋଗୁଁ ଏମାନେ ଆତ୍ମସମର୍ପଣ କରିଥିବା ଜଣା ପଡିଛି।