fbpx

ହାଇକୋର୍ଟଙ୍କ ବଡ଼ ରାୟ: ସରୋଗାସୀ ମାଧ୍ୟମରେ ମାତୃତ୍ୱ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସବକାଳୀନ ଛୁଟି

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରୋଗାମୀ ମାତୃତ୍ୱକୁ ନେଇ ଏକ ବଡ଼ ରାୟ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ସରୋଗାମୀ ମାଧ୍ୟମରେ ମାତୃତ୍ୱ ଲାଭ କରିଥିବା ମହିଳା କର୍ମଚାରୀଙ୍କୁ ମିଳିବ ପ୍ରସବ ଛୁଟି । ଏହି ଆଧାରରେ ସରୋଗାସୀ ମା’ଙ୍କ ପାଇଁ ପ୍ରତିବନ୍ଧକ ସାଜିଥିବା ଅର୍ଥ ବିଭାଗର ୨୦୧୯, ନଭେମ୍ବର ୧୫ର ଚିଠି ଓ ସାଧାରଣ ପ୍ରଶାସନ ବିଭାଗର ୨୦୨୦, ଜୁଲାଇ ୬ର ଚିଠିକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି । ସମ୍ବିଧାନର ଧାରା ୨୧ ମାତୃତ୍ୱ ଅଧିକାର ସହିତ ସବୁ ଶିଶୁଙ୍କ ପୂର୍ଣ୍ଣାଙ୍ଗ ବିକାଶ ସମ୍ପର୍କିତ ଅଧିକାର ପ୍ରଦାନ କରିଥାଏ ବୋଲି କୋର୍ଟ କହିଛନ୍ତି ।

ଜଣେ ମହିଳା କର୍ମଚାରୀ ଯଦି ସରୋଗାମୀ ମାଧ୍ୟମରେ ସନ୍ତାନ ଜନ୍ମ ଦିଅନ୍ତି ତେବେ ସେ ସାଧାରଣ ମହିଳା କର୍ମଚାରୀଙ୍କ ଭଳି ପ୍ରସବକାଳୀନ ଛୁଟି ପାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି । ସରକାର ଯଦି ପ୍ରାକୃତିକ ଉପାୟରେ ସନ୍ତାନ ପ୍ରସବ କରିଥିବା ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଛୁଟି ପ୍ରଦାନ କରୁଛନ୍ତି, ତେବେ ସରୋଗାସୀ ପ୍ରକ୍ରିୟା ଦ୍ୱାରା ସନ୍ତାନ ପ୍ରାପ୍ତି କରିଥିବା ମହିଳାଙ୍କୁ ମଧ୍ୟ ଏହି ସୁବିଧା ମିଳିବ ଉଚିତ । ସେମାନଙ୍କୁ ଏଥିରୁ ବଞ୍ଚିତ କରିବା ଅନୁଚିତ । ଜଣେ ମହିଳା କର୍ମଚାରୀଙ୍କ ଆବେଦନର ଶୁଣାଣି କରି ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଏହି ରାୟ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ମହିଳା ଜଣଙ୍କ ଓଡ଼ିଶା ଅର୍ଥସେବା ଅଧିକାରୀ ଭାବେ ଚାକିରିରେ ଯୋଗଦେଇଥିଲେ । ସେ ଚିରାଚରିତ ପ୍ରକ୍ରିୟାରେ ମା’ ହୋଇ ନପାରିବାରୁ ସରୋଗାସୀ ମାଧ୍ୟମରେ ଜଣେ ମହିଳାଙ୍କ ସହ ଚୁକ୍ତି କରି ୨୦୧୮, ଅକ୍ଟୋବର ମାସରେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ତାଙ୍କର ପ୍ରସବକାଳୀନ ଛୁଟି ଦରଖାସ୍ତକୁ ମଞ୍ଜୁର କରାଯାଇଥିଲା । ମାତ୍ର ସ୍ଥିତି ସ୍ପଷ୍ଟ ନଥିବାରୁ ପରବର୍ତ୍ତୀ ସମୟରେ ତାହାକୁ ଅନୁଧ୍ୟାନ କରିବାକୁ ଅର୍ଥ ବିଭାଗ ପକ୍ଷରୁ କୁହାଯାଇଥିଲା । ତେଣୁ ଏହାକୁ ଚ୍ୟାଲେଞ୍ଜ କରି ମହିଳା ଜଣଙ୍କ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶିଶୁ ଜନ୍ମ ପରେ ଯତ୍ନ ଓ ପାଳନପୋଷଣ ପାଇଁ ପ୍ରାରମ୍ଭିକ ଦିନଗୁଡ଼ିକ ମା’ ପାଇଁ ବହୁତ ଜଟିଳ ହୋଇଥାଏ । ଶିଶୁର ବିକାଶ ଏହି ସମୟର ବହୁତ ଗୁରୁତ୍ୱ ରହିଥାଏ । ଏଭଳି ସ୍ଥିତିରେ ଆବେଦନକାରୀଙ୍କୁ ୧୮୦ ଦିନର ପ୍ରସବକାଳୀନ ଛୁଟି ମଞ୍ଜୁର କରିବାକୁ ରାଜ୍ୟ ସରକାରଙ୍କ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.