fbpx

ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଂକଳନ “କ୍ଷମତାର ଚରିତ୍ର” ଉନ୍ମୋଚିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଣମାଧ୍ୟମ ବିକ୍ରି ହୋଇପାରେ, ନିର୍ଦ୍ଦିଷ୍ଟ ବିଚାରର ସମର୍ଥନ କରିପାରେ, କିନ୍ତୁ ସ୍ତମ୍ଭକାର ନୁହେଁ। ମୁକ୍ତ ଓ ମୌଳିକ ଚିନ୍ତା ମାଧ୍ୟମରେ ସମାଜରେ ଏକ ବିକଳ୍ପ ବିମର୍ଶର ସୂତ୍ରପାତ କେବଳ ସ୍ତମ୍ଭକାର କରିପାରିବ ବୋଲି ବରିଷ୍ଠ କବି ତଥା ଚିନ୍ତକ ହରପ୍ରସାଦ ଦାସ ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ସମ୍ବାଦିକ ଓ ସ୍ତମ୍ଭକାର ସୂର୍ଯ୍ୟମଣି ମିଶ୍ରଙ୍କ ଦ୍ବିତୀୟ ପ୍ରବନ୍ଧ ପୁସ୍ତକ “କ୍ଷମତାର ଚରିତ୍ର” ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗଦେଇ ସେ ବର୍ତ୍ତମାନ ସମାଜରେ ସ୍ତମ୍ଭକାରର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ରାଜନଅତିକ ଚକ୍ରାନ୍ତ ଓ ସରକାରଙ୍କ ସୁବିଧାବଦ ଅପେକ୍ଷା ମଧ୍ୟବର୍ଗର ମଧ୍ୟମ ଚିନ୍ତାଧାରା ଓ ନିସ୍ପୃହ ନିରବତା ବର୍ତ୍ତମାନ ସମୟରେ ସବୁଠୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି ବୋଲି ଶ୍ରୀ ଦାସ କହିଥିଲେ। ମଧ୍ୟବର୍ଗକୁ ଚେତାଇବାର ଦାୟିତ୍ବ ସ୍ତମ୍ଭକାରର ବୋଲି ସେ ମତପୋଷଣ କରିଥିଲେ।

ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସି ଠାରେ ପେନ୍‌ ଇନ୍‌ ବୁକ୍ସ ପ୍ରକାଶନ ସଂସ୍ଥା ପକ୍ଷରୁ ଆୟୋଜିତ ଉନ୍ମୋଚନ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ କଥାକାର ଓ ଶିଶୁ ସାହିତ୍ୟିକ ଦାଶ ବେନହୁର କହିଥିଲେ ଯେ ସ୍ତମ୍ଭକାର ଭିତରେ ଜଣେ ସାମ୍ବାଦିକ ଲୁଚିରହିଛି ଯେ ନିଜ ଲେଖା ମାଧ୍ୟମରେ ସତ୍ୟର ସନ୍ଧାନ କରିବାକୁ ଚେଷ୍ଟା କରିଥାଏ। ଖବର ଯେଉଁ ପ୍ରସଙ୍ଗ ସବୁକୁ ଲୋକଙ୍କ ପାଖରେ ପହଞ୍ଚାଇପାରେ ନାହିଁ ତାହାର ବିଶ୍ଳେଷଣ ସ୍ତମ୍ଭ ମାଧ୍ୟମରେ ସମ୍ଭବ ବୋଲି ସେ କହିଥିଲେ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ଓ ଲେଖକ ଭାସ୍କର ପରିଚ୍ଛା ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ। ବିଭିନ୍ନ ଖବରକାଗଜରେ ପୂର୍ବରୁ ପ୍ରକାଶିତ ସୂର୍ଯ୍ୟମଣି ମିଶ୍ରଙ୍କର ଏ ସ୍ତମ୍ଭଗୁଡ଼ିକ ମୁଖ୍ୟତଃ ରାଜନୈତିକ ବିଚାରର ଅଧୋଗତି, ସାମାଜିକ ଦ୍ବନ୍ଦ୍ବ ଓ ଧର୍ମ, ଜାତି ଓ ସଭ୍ୟତାର ଅନ୍ୟାନ୍ୟ ବିଭାଜନ ଉପରେ ପରକଯ୍ୟବଶିତ। ସୂର୍ଯ୍ୟମଣି ମିଶ୍ରଙ୍କ ଜୀବନ ବେଶ୍‌ ସଂଘର୍ଷମୟ ଓ ଦୀର୍ଘ ଦିନର ସାମ୍ବାଦିକତା ମଧ୍ୟରେ ସେ କେବେ ବି ନିଜର ମେୌଳିକ ଚିନ୍ତନରୁ ବିଚ୍ୟୁତ ହୋଇନାହାନ୍ତି ତଥା ସାଲିସ୍‌ କରିନାହାନ୍ତି ବୋଲି ଶ୍ରୀ ପରିଚ୍ଛା କହିଥିଲେ।

ଯୁବ ଉଦ୍ୟୋଗପତି ଗୌରୀଶଙ୍କର ମହାପାତ୍ର ଲେଖକଙ୍କ ସହ ତାଙ୍କ ସଂପୃକ୍ତି ଓ ଲେଖକଙ୍କ ଜୀବନ ବାବଦରେ ବକ୍ତବ୍ୟ ରଖିଥିବା ବେଳେ ନିଜର ଲେଖକୀୟ ଅଭିବ୍ୟକ୍ତି ବାଢ଼ିଥିଲେ “କ୍ଷମତାର ଚରିତ୍ର”ର ସ୍ରଷ୍ଠା ସୂର୍ଯ୍ୟମଣି ମିଶ୍ର।ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ପ୍ରାରମ୍ଭିକ ସୂଚନା ଦେବା ସହ ଉତ୍ସବରେ ସଭାପତିତ୍ବ କରିଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ କବି ଗିରୀଶ ରଂଜନ। ଉତ୍ସବରେ ବହୁ ସଂଖ୍ୟାରେ ଲେଖକ, ବୁଦ୍ଧିଜୀବୀ, ସାମ୍ବାଦିକ ଓ ସ୍ତମ୍ଭକାର ଯୋଗ ଦେଇଥିଲେ।

Get real time updates directly on you device, subscribe now.