fbpx

ଦୁର୍ନୀତିର ପାହାଡ଼ ଉପରେ ବସିଛନ୍ତି ତହସିଲଦାର, ଆଗକୁ ଖୋଲିପାରେ ଆହୁରି ଅନେକ ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜଣେ ବ୍ୟକ୍ତିଙ୍କର ପାଞ୍ଚ ପାଞ୍ଚଟା ପ୍ୟାନ କାର୍ଡ । ଏକଥା ଶୁଣିବା ପରେ ଯେ କେହି ହତବାକ୍ ହୋଇଯିବ । ଏତିକିରେ ସରିନାହିଁ ଲିଷ୍ଟ, ୩ ଜଣ ବାପା ମଧ୍ୟ ଉକ୍ତ ବ୍ୟକ୍ତିଙ୍କର ଅଛନ୍ତି । ଭିନ୍ନ ଭିନ୍ନ ପ୍ୟାନ୍ କାର୍ଡରେ ତାଙ୍କର ବାପାଙ୍କର ନାମ ବୈଷ୍ଣବ ଜେନା, ଖଗେଶ୍ୱର ଜେନା ଓ ନାରାୟଣ ଜେନା ରହିଛି । ସେହିପରି ଭୋଟର ପରିଚୟପତ୍ରରେ ପିତାଙ୍କ ନାମ ଖଗେଶ୍ୱର ଜେନା ରହିଛି । ଏଭଳି କରିତକର୍ମା ଆଉ କେହି ନୁହନ୍ତି, ସେ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା । ରାଜ୍ୟର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଘରୁ ଏଭଳି ଏକାଧିକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସହ ଲକ୍ଷାଧିକ ଟଙ୍କା ଜବତ ହେବା ଭିଜିଲାନ୍ସ ଟିମଙ୍କୁ ସନ୍ଦେହରେ ପକାଇଛି ।

ଆଜି ପୁରୀ ଜିଲ୍ଲା ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରି ୪ ଲକ୍ଷ ୬୫ ହଜାର ଜବତ କରିଥିଲା । ଏଥିସହ ଶ୍ରୀ ଜେନାଙ୍କର କଟକର ସିଡିଏ, ଧାନମଣ୍ଡଳ ଓ ଗରଦପୁର ବାସଭବନରେ ଚଢ଼ାଉ କରିଥିଲା । ଏକାଥରକେ ବିପୁଳ ପରିମାଣର ଟଙ୍କା ଜବତ ହୋଇଥିବାରୁ ଏହାର ପ୍ରକୃତ ହିସାବ ଭିଜିଲାନ୍ସ ଟିମ୍ ଦେବାରେ ଅସମର୍ଥ ହୋଇପଡ଼ିଥିଲା । ତେବେ ଏକାଧିକ ପରିଚୟପତ୍ର ଜବତ ହୋଇଥିବାରୁ ଏସବୁକୁ ଆୟୁଧ କରି ସେ ଆହୁରି ଅନେକ ଠକାମିରେ ସଂଶ୍ଲିଷ୍ଟ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତହସିଲଦାରଙ୍କ ସହ ତାଙ୍କର କାର୍ଯ୍ୟାଳୟର ଅନେକ କର୍ମଚାରୀ ମଧ୍ୟ ଏହି ଦୁର୍ନୀତିରେ ସାମିଲ ରହିଛି । ପାଠ ପଢ଼ୁଆ ପିଲାଙ୍କ ସାର୍ଟିଫିକେଟ, ଗୃହୋପଯୋଗୀ ଜମିଜମା ସଂକ୍ରାନ୍ତୀୟ ଦୁର୍ନୀତିରେ ବୁଡ଼ି ରହିଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ତେବେ ଏହି ସମସ୍ତ କର୍ମଚାରୀ ଓ ତହସିଲଦାର ମିଳିମିଶି କେଉଁ କେଉଁଆଡ଼େ ଦୁର୍ନୀତିର କାୟାବିସ୍ତାର କରିଛନ୍ତି, ତାହା ଖୋଳତାଡ଼ ହେବା ପରେ ଜଣାପଡ଼ିବ । ତେବେ ଯେଉଁ ବ୍ୟକ୍ତି ସ୍ୱାର୍ଥ ପାଇଁ ନିଜର ବାପାଙ୍କ ନାମ ଏକାଧିକ ବାର ପରିବର୍ତ୍ତନ କରିପାରେ, ସେ ବ୍ୟକ୍ତି ଦୁର୍ନୀତିର କେଉଁ ସ୍ତର ପର୍ଯ୍ୟନ୍ତ ପହଞ୍ଚିପାରେ ତାହା ଅନୁମାନ କରିବା ସତରେ କାଠିକର ପାଠ । ସଂପୃକ୍ତ ତହସିଲଦାରଙ୍କ ବିରୋଧରେ ଭିଜିଲାନ୍ସ ଟିମର ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ, ତାହା ଉପରେ ସଭିଙ୍କ ନଜର ରହିଛି । ଏପରି ଜଣେ ଭ୍ରଷ୍ଟାଚାରୀ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନକୁ ଅଞ୍ଚଳବାସୀ ସ୍ୱାଗତ କରିଥିବା ପଡ଼ିଛି ।

Get real time updates directly on you device, subscribe now.