ପୁରୁଷ ଶଟପୁଟରେ ତେଜିନ୍ଦରପଲଙ୍କୁ ସ୍ୱର୍ଣ୍ଣ: ପୁଣି ଏସୀୟ କ୍ରୀଡ଼ାରେ ଚମକିଲା ଭାରତ

ନୂଆଦିଲ୍ଲୀ: ଚୀନର ହ୍ୱାଙ୍ଗଝୁଠାରେ ଚାଲିଥିବା ୧୯ତମ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଶାନଦାର ପ୍ରଦର୍ଶନ କରିଥିବା ବେଳେ ଆଜି ଅଷ୍ଟମ ଦିନରେ ମଧ୍ୟ ତାହା ବଳବତ୍ତର ରହିଛି । ବିଭିନ୍ନ ବର୍ଗରେ ଭାରତୀୟ କ୍ରୀଡ଼ାବିତମାନେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ତେବେ ଏହା ମଧ୍ୟରେ ଭାରତ ପୁଣି ଏକ ସ୍ୱର୍ଣ୍ଣ ପଦକ ଜିତିଛି । ପୁରୁଷ ଶଟପୁଟ ଇଭେଷ୍ଟରେ ତେଜିନ୍ଦରପଲ ସିଂହ ତୁର ସ୍ୱର୍ଣ୍ଣ ଜିତିଛନ୍ତି ।

ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ଆଥଲେଟ ତେଜିନ୍ଦରପଲ ଦେଶ ପାଇଁ ୧୩ତମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏସୀୟ ରେକର୍ଡଧାରୀ ତେଜିନ୍ଦରପଲ ୭.୨୬ କେଜିର ଆଇରନ ବଲକୁ ୨୦.୩୬ ମିଟର ଦୂରତାକୁ ଫିଙ୍ଗିଥିଲେ । ଏହାଫଳରେ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାକୁ ସକ୍ଷମ ହୋଇ ପାରିଛନ୍ତି । ୩୦୦୦ ମିଟର ଷ୍ଟିପଲଚେଜରେ ଅବିନାଶ ସାବଲେ ସ୍ୱର୍ଣ୍ଣ ଜିତିବା ପରେ ଏହା ଆଥଲେଟିକ୍ସରେ ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ।

ବର୍ତ୍ତମାନ ସୁଦ୍ଧା ଭାରତ ଏସୀୟ କ୍ରୀଡ଼ାରେ ୪୪ଟି ପଦକ ଜିତିଥିବା ବେଳେ ସେଥିମଧ୍ୟରେ ୧୩ଟି ସ୍ୱର୍ଣ୍ଣ, ୧୬ଟି ରୌପ୍ୟ ଓ ୧୬ଟି କାଂସ୍ୟ ପଦକ ରହିଛି । ଶୁଟିଂରେ ଭାରତ ସର୍ବାଧିକ ୭ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୬ଟି କାଂସ୍ୟ ପଦକ ସହ ମୋଟ ୨୨ଟି ପଦକ ହାସଲ କରିଛି । ଚଳିତ ଏସୀୟ କ୍ରୀଡ଼ାରେ ଭାରତ ମୋଟ ୧୨ଟି ବର୍ଗରେ ପଦକ ହାସଲ କରିଛି । ଆଗକୁ ଭାରତୀୟ କ୍ରୀଡ଼ାବିତମାନେ ଦେଶ ପାଇଁ ଆହୁରି ପଦକ ଜିତିବାର ସମ୍ଭାବନା ରହିଛି ।