fbpx
BSKY SKY
BSKY SKY

ତାଜମହଲ କିଏ ନିର୍ମାଣ କରିଥିଲେ? ହାଇକୋର୍ଟ କହିଲେ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ କରିବ ନିଷ୍ପତ୍ତି

BSKY

ନୂଆଦିଲ୍ଲୀ: ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ହେଉଛି ତାଜମହଲ । ଆମେ ଜାଣିଛୁ ମୋଗଲ ଶାସକ ଶାହଜାହାନ ତାଜମହଲ ନିର୍ମାଣ କରାଇଥିଲେ ବୋଲି । କିନ୍ତୁ ଏବେ ହିନ୍ଦୁ ସେନା ଦାବୀ କରିଛନ୍ତି କି ଶାହଜାହାନ ନୁହଁନ୍ତି ହିନ୍ଦୁ ରାଜା ମାନ ସିଂହ ଏହା ନିର୍ମାଣ କରାଇଛନ୍ତି । ଏହି ଦାବୀକୁ ନେଇ ଦିଲ୍ଲୀ ହାଇକୋର୍ଟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗକୁ ଏହା ଉପରେ ବିଚାର କରିବାକୁ କହିଛନ୍ତି । ହିନ୍ଦୁ ସେନା ପକ୍ଷରୁ ଏକ ଆବେଦନ କରାଯାଇଥିଲା କି ଇତିହାସକୁ ସଂଶୋଧନ କରାଯାଉ କାରଣ ତାଜମହଲର ନିର୍ମାଣ ଶାହଜାହାନ ନୁହଁନ୍ତି ବରଂ ହିନ୍ଦୁ ରାଜା ମାନ ସିଂହ କରାଇଥିଲେ । ଏ ସଂପର୍କିତ ଜନହିତ ଯାଚିକା ଉପରେ ବିଚାର କରି ମୁଖ୍ୟ ବିଚାରପତି ସତୀଶ ଚନ୍ଦ୍ର ଶର୍ମା ଓ ବିଚାରପତି ତୁଷାର ରାଓ ଗେଡେଲା ଏଏସଆଇକୁ ଏହାର ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦେଇଛନ୍ତି ।

ବେଞ୍ଚ କହିଛି ଏହା ପୂର୍ବରୁ ଯାଚିକାକର୍ତ୍ତା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାପରେ ସୁପ୍ରିମକୋର୍ଟ କହିଥିଲେ ହିନ୍ଦୁସେନାର କର୍ମୀମାନେ ଏଏସଆଇ ନିକଟକୁ ଯାଆନ୍ତୁ । ଏହା ଉପରେ ଯେତେବେଳେ ସର୍ବୋଚ୍ଚ ନ୍ୟାୟାଳୟ କୌଣସି ନିଷ୍ପତ୍ତି ନେଇ ନ ଥିଲେ ସେତେେବେଳ ହିନ୍ଦୁ ସେନା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଏହି ଯାଚିକା ସୁରଜିତ୍ ସିଂହ ଯାଦବ ଦାଖଲ କରିଥିଲେ, ଯିଏ ହିନ୍ଦୁ ସେନାର ଅଧ୍ୟକ୍ଷ ଅଛନ୍ତି । ଯାଦବ ଦାବୀ କରିଛନ୍ତି କି ତାଜମହଲ ନିର୍ମାଣ ଶାହଜାହାନ ନୁହଁନ୍ତି ହିନ୍ଦୁ ରାଜା ମାନସିଂହ କରାଇଥିଲେ । ଶାହଜାହାନ ପରବର୍ତ୍ତୀ ସମୟରେ ଏହାର ପୁନରୁଦ୍ଧାରେ କରାଇଥିଲେ । ଇତିହାସରୁ ଭୁଲ୍ ତଥ୍ୟ ହଟାଇ ଦେବାକୁ କେନ୍ଦ୍ର ସରକାର, ଏଏସ୍ଆଇ, ନ୍ୟାସନାଲ ଆର୍କାଇଭ୍ ଅଫ୍ ଇଣ୍ଡିଆ ଓ ଉତ୍ତରପ୍ରଦେଶ ସରକାରଙ୍କୁ ଆଦେଶ ଦିଆଯାଉ ବୋଲି ଯାଦବ କୋର୍ଟରେ ଦାବୀ କରିଥିଲେ ।

‘ତାଜ ମ୍ୟୁଜିୟମ’ ନାମକ ଏକ ପୁସ୍ତକର ଉଦାହରଣ ଦେଇ ସେ କହିଛନ୍ତି ଏହି ପୁସ୍ତକରେ ଉଲ୍ଲେଖ ଅଛି କି ମୁମତାଜ ମହଲଙ୍କ ମୃତ୍ୟୁ ପରେ ତାଙ୍କୁ କବର ଦେବା ପାଇଁ ଏକ ସୁନ୍ଦର ସ୍ଥାନ ଚୟନ କରାଯାଇଥିଲା । ଏହି ସ୍ଥାନ ରାଜା ମାନ ସିଂହଙ୍କ ମହଲ ହିଁ ଥିଲା । ସେ କହିଛନ୍ତି ଆଜିର ତାଜମହଲ ଆଉ କିଛି ନୁହେଁ ରାଜା ମାନ ସିଂହଙ୍କ ମହଲ । ସେ କହିଛନ୍ତି ଇତିହାସରେ କେଉଁଠି ବି ଲେଖାଯାଇନାହିଁ କି ମହଲକୁ ଧ୍ୱଂସ କରିଦିଆଯାଇଥିଲା ବୋଲି ।

Get real time updates directly on you device, subscribe now.