fbpx

ଥାଳ ନିଅ ଭିକ ମାଗ… ଅସହ୍ୟ ହେଲା ପୁଅ-ବୋହୂଙ୍କ ଅତ୍ୟାଚାର, ପାଣି ଟାଙ୍କିରେ ଡେଇଁ ଜୀବନ ହାରିଲେ ମାତା ପିତା

ରାୟପୁର: ଆଜିକାଲି ସମ୍ପତ୍ତିକୁ ନେଇ ପାରିବାରିକ ବିବାଦ ସାଧାରଣ କଥା । ସମ୍ପତ୍ତି ଲୋଭ ପାଇଁ ପରିବାରରେ ଅନେକ ପରସ୍ପରର ଶତ୍ରୁ ମଧ୍ୟ ପାଲଟିଯାଇଥାନ୍ତି । ବେଳେ ବେଳେ ଏହି ମାନସିକ ଯନ୍ତ୍ରଣା ଏତେ ବଢ଼ିଯାଏ କି ବ୍ୟକ୍ତି ଜଣଙ୍କୁ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କରିଥାଏ । ଏଭଳି ଏକ ମାମଲା ଦେଖିବାକୁ ମିଳିଛି ରାଜସ୍ଥାନର ନାଗୌର ଜିଲ୍ଲାରେ । ସମ୍ପତ୍ତି ପାଇଁ ପୁଅ- ବୋହୂ ଓ ଝିଅଙ୍କ ଅତ୍ୟାଚାରରୁ ଅତିଷ୍ଟ ହୋଇ ଦମ୍ପତି ଜୀବନ ହାରିଛନ୍ତି । ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାରୁ ପ୍ରକାଶ ରାଜସ୍ଥାନ ସ୍ଥିତ ନାଗୌର ଜିଲ୍ଲାରେ ଜଣେ ଦମ୍ପତି ହଜାରିରାମ ବିଷ୍ଣୋଇ (୭୦ ବର୍ଷ) ତାଙ୍କ ପତ୍ନୀ ଚାବଲୀ ଦେବୀ (୬୮) ରହୁଥିଲେ । ତାଙ୍କର ୪ଟି ସନ୍ତାନ ଦୁଇ ପୁଅ ଓ ଦୁଇ ଝିଅ । ସମ୍ପତ୍ତି ଭାଗବଣ୍ଟାକୁ ନେଇ ପୁଅ- ବୋହୂ ଓ ଝିଅଙ୍କ ଅତ୍ୟାଚାରରୁ ଅତିଷ୍ଟ ହୋଇ ଦମ୍ପତି ଘରର ପାଣି ଟାଙ୍କିରେ ଡେଇଁ ଜୀବନ ହାରିଥିଲେ । ପରେ ପରିବାର ଲୋକେ ଦମ୍ପତିଙ୍କୁ ନ ପାଇ ପୋଲିସକୁ ଖବର ଦେଇଥିଲେ । ନାଗୌର ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଥିଲା । ପୋଲିସଙ୍କ କହିବାନୁଯାୟୀ ଗୁରୁବାର ତାଙ୍କୁ ଏହି ଘଟଣା ବିଷୟରେ ସୂଚନା ମିଳିଥିଲା । ତେବେ ଛାନଭିନ୍ ସମୟରେ ପାଣି ଟାଙ୍କିରୁ ଶବ ଜବତ କରିଥିଲା ପୋଲିସ । ଏହା ପରେ ଘର କାନ୍ଥରେ ଦମ୍ପତିଙ୍କ ଚିପକାଯାଇଥିବା ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରାଯାଇଥିଲା । ଉକ୍ତ ସୁଇସାଇଡ୍ ନୋଟ୍ ଅନୁଯାୟୀ ତାଙ୍କ ସମସ୍ତ ସନ୍ତାନ ଧୋକା, ଝଗଡ଼ା ଓ ଅତ୍ୟାଚାର କରି ୩ଟି ପ୍ଲଟ୍ ଓ ଗାଡ଼ି ଉପରେ ଅଧିକାର ସାବ୍ୟସ୍ତ କରିଥିଲେ । ସମ୍ପତ୍ତି ହଡ଼ପ କରିବା ପରେ ଦମ୍ପତିଙ୍କ ନାଁରେ ଥିବା ସମ୍ପତ୍ତି ଉପରେ ସମସ୍ତଙ୍କ ଆଖି ଥିଲା । କେବଳ ଏତିକି ନୁହେଁ ପୁଅ ବୋହୂ ସମସ୍ତେ ମିଶି ମାଡ଼ ମାରିବା, ଗାଳି ଦେବା, ଧମକାଇବା ଭଳି ଅନ୍ୟାନ୍ୟ ଅତ୍ୟାଚାର କରୁଥିଲେ । ଫୋନରେ ପୁଅ ଥରେ କହିଥିଲା, ମୁଁ ଖାଇବାକୁ ଦେଇପାରିବି ନାହିଁ- ‘ଥାଳ ନିଅ ଭିକ ମାଗି ଖାଅ ।’ କାହାକୁ କିଛି କହିଲେ ମାରିଦେବାର ଧମକ ମଧ୍ୟ ଦେଇଥିଲା । ତେବେ ପୋଲିସ ସୁଇସାଇଡ୍ ନୋଟ୍ ଆଧାରରେ କ’ଣ ପଦକ୍ଷେପ ନେଇଛି କିଛି ଜଣାପଡ଼ିନାହିଁ ।

Get real time updates directly on you device, subscribe now.