ତାଲିବାନ: ଏକ ଭିନ୍ନ ଚିନ୍ତନ

ସମ୍ପ୍ରତି ଆଫଗାନିସ୍ତାନରେ ଚାଲିଛି ତାଲିବାନୀ ରାଜ୍ । ସାରା ବିଶ୍ୱରେ ଏନେଇ ଚର୍ଚ୍ଚା ସରଗରମ । ମୌଳବାଦ ଇସ୍ଲାମିକ୍ ମାନସିକତାର ଆତଙ୍କ ବଳୟରେ ଆଫଗାନିସ୍ତାନ । ତେବେ ଏହା କେବଳ କଣ ଆଫଗାନିସ୍ତାନରେ ସୀମିତ? ବଳକା ବିଶ୍ୱ କଣ ସମ୍ପୂର୍ଣ୍ଣ ଏଥିରୁ ମୁକ୍ତ? ଆତଙ୍କବାଦର ମୂଳ ସ୍ରୋତ କୁହାଯାଉଥିବା ପାକିସ୍ତାନ ପର୍ଯ୍ୟନ୍ତ ଲମ୍ବିଛି ତାଲିବାନୀ ସମ୍ପର୍କ ବୋଲି କୁହାଯାଉଛି । ତେବେ ପାକିସ୍ତାନକୁ ବାଦ୍ ଦେଲେ ଆଉ ସବୁ ଦେଶରେ କଣ ଆତଙ୍କ ନାହିଁ? ଆତଙ୍କ ଓ ଆତଙ୍କ ଶୂନ୍ୟ ପୃଥିବୀ କଣ ସତରେ ସମ୍ଭବ?

ଗୋଟିଏପଟେ ତାଲିବାନୀ ଶାସନ ଆରମ୍ଭ ହୋଇଯାଇଥିବାବେଳେ କଠୋରପନ୍ଥୀରୁ ଉଦାରବାଦୀ ରୂପ ଦେଖାଇବାକୁ ତାଲିବାନୀମାନେ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଅନ୍ୟପଟେ ଦେଶ ଛାଡ଼ି ପଳାଇବାକୁ ହଜାର ହଜାର ଲୋକ ତତ୍ପର ହେଉଛନ୍ତି । ଅନ୍ୟପକ୍ଷରେ ଭୋକର ବିକଳ ବଳୟ ଭିତରେ ହନ୍ତସନ୍ତ ହେଉଛନ୍ତି ଆଫଗାନ ଜନତା । ମାନବ ସମାଜ ପାଇଁ ଦେଖାଦେଇଛି ଗୁରୁତ୍ୱର ବିପଦ । ପରିସ୍ଥିତି ଏଭଳି ହୋଇଛି ଯେ ୧.୪ କୋଟିରୁ ଅଧିକ ଲୋକ ଭୋକ ଉପାସରେ ଛଟପଟ ହେବାର ଆଶଙ୍କା ଦେଖାଦେଲାଣି । ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଆଫଗାନର ନିର୍ଦ୍ଦେଶକ ଥିବା ମେରି ଏଲେନ୍ ମ୍ୟାକଗ୍ରାର୍ଟି କାବୁଲରୁ ଭିଡିଓ କନଫେରେନ୍ସି ଜରିଆରେ ଆମେରିକାର ଗଣମାଧ୍ୟମକୁ ଏଭଳି କିଛି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମହାମାରୀ କୋଭିଡ୍ ପାଇଁ ଆଫଗାନିସ୍ତାନକୁ ଖୁବ୍ ସଂଘର୍ଷ କରିବାକୁ ପଡୁଛି । ପ୍ରଥମରୁ ହିଁ ସାମାଜିକ ଓ ଆର୍ôଥକ ସ୍ଥିତି ବଡ଼ ସଂକଟମୟ ହୋଇଯାଇଥିଲା । ଲୋକେ ଖାଦ୍ୟ ପାଇଁ ବିକଳ ହେଉଥିବାବେଳେ ସମ୍ପ୍ରତି ସ୍ଥିତି ଆହୁରି ବିଗିଡ଼ି ଯାଇଛି । ମ୍ୟାକଗ୍ରାର୍ଟିଙ୍କ ସୂଚନା ଅନୁସାରେ ୪୦ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଯାଇଛି ଏବଂ ପଶୁସମ୍ପଦ ବିପଦରେ ପଡ଼ିଯାଇଛନ୍ତି । ତାଲିବାନ ଯେତିକି ଆଗକୁ ବଢ଼ି ଆସିଲେ ସେହି ଅନୁସାରେ ହଜାର ହଜାର ଲୋକ ବିସ୍ଥାପିତ ହୋଇଗଲେ ଏବଂ ଜଟିଳ ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଏଥିସହ ଖାଦ୍ୟ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ୨୦ କୋଟି ଡଲାର ଆର୍ôଥକ ସାହାଯ୍ୟ ଦିଆଯାଉ ବୋଲି ମ୍ୟାକଗ୍ରାର୍ଟି ନିବେଦନ କରିଛନ୍ତି ।

ଏଭଳି ଭୋକର ବିକଳ ବଳୟ ମଧ୍ୟରେ ତାଲିବାନଙ୍କୁ ଘାରିଛି କ୍ଷମତା ନିଶା । ଏଥିସହ ନିଜ ମୌଳବାଦ ଚିନ୍ତନର ପାରମ୍ପରିକ ବୋଝ ଲଦି କଳେ-ବଳେ ଲୋକଙ୍କୁ ନିଜର ଆଦେଶ ମାନିବାକୁ ବାଧ୍ୟ କରୁଛନ୍ତି । ତେବେ ଏଭଳି ଚିନ୍ତନକୁ କଣ ବିଶ୍ୱ ଦମନ କରିପାରିବ ନାହିଁ? କଣ ଯୁଦ୍ଧ ହିଁ ଏକମାତ୍ର ଉପାୟ? ଯଦି ଏହା ସତ, ତେବେ ଦୀର୍ଘ ୨୦ବର୍ଷ ଉଦ୍ୟମ କରିବା ସହ କୋଟିକୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ଆମେରିକା କାହିଁକି ଡରାଇ ପାରିଲାନି ତାଲିବାନୀଙ୍କ୍ୁ? ଦୁଇ ଦଶନ୍ଧିର ସମୟ ମଧ୍ୟରେ ଆମେରିକା ତାଲିବାନୀଙ୍କ କିଛି ବିଗାଡ଼ି ପାରିଲାନି କି ଆଫଗାନ୍ ପାଇଁ କିଛି ବନେଇ ପାରିଲାନି । ସେପଟେ ଦମ୍ ଛାଡ଼ିଲାନି ତାଲିବାନ । ନିଜକୁ ଆହୁରି ଶକ୍ତ କରି ଛିଡ଼ା ହୋଇପାରିଲା କେମିତି? ଏହା ଏବେ ସାରା ବିଶ୍ୱ ପାଇଁ ଏକ ବଡ଼ ପ୍ରଶ୍ନ । ସେହିପରି ବିଡ଼ମ୍ବନା ଯେ ବ୍ରିଟିଶ୍ ଶାସନରୁ ଅଗଷ୍ଟ ୧୯ରେ ମୁକ୍ତିର ଆନନ୍ଦ ପାଇଥିବା ଆଫଗାନିସ୍ତାନ ସମ୍ପ୍ରତି ଖୁସି ମନାଇବା ବଦଳରେ ଆକାଶରେ ଛାଇ ଯାଇଛି କଳା ବାଦଲ । ପରାଧୀନର ବେଡ଼ିରେ ପୁଣି ତ୍ରାହି ତ୍ରାହି ଡାକୁଛି ଆଫଗାନ । ୨୦ ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଯୁଦ୍ଧ ପଥରେ ୨୪୪୮ ଜଣ ଆମେରିକୀ ସୈନ୍ୟ ସହିଦ୍ ହୋଇଥିବାବେଳେ ୧୧୪୪ ନାଟୋ ସିପାହୀଙ୍କ ମଧ୍ୟ ନିଧନ ହୋଇଗଲା । ଅନ୍ୟପକ୍ଷରେ ଉକ୍ତ ସମୟ ମଧ୍ୟରେ ଆଫଗାନିସ୍ତାନର ୬୬ ହଜାର ସରକାରୀ ସେନା ମଧ୍ୟ ପ୍ରାଣ ହରାଇଛନ୍ତି । ଏତେ ସବୁ ପରେ କଣ ଲାଭ ହେଲା ଏବଂ କାହାକୁ ଲାଭ ହେଲା? ମୋଟେ ଦମ୍ ଛାଡ଼ିନି ତାଲିବାନ କି ପଛକୁ ହଟିନି । ତେଣୁ ଆମେରିକାର ପଦକ୍ଷେପରୁ କିଛି ସୁଫଳ ମିଳିନଥିବା ସ୍ପଷ୍ଟ ।

ସେହିପରି ଆମେରିକା କରିଛି ପ୍ରବଳ ବୋମା ବର୍ଷଣ । ଏହାର ପରିଣାମ କେବଳ ଏତିକି, ସେନା ହଟିବା ପରେ ପରେ ତାଲିବାନୀ ଆଫଗାନକୁ ନିଜ ଅକ୍ତିଆରକୁ ନେଇଗଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କେଉଁଭଳି ଉପାୟରେ ତାଲିବାନୀ ମାନସିକତାକୁ ଲୋପ କରାଯାଇପାରିବ? ନିକଟରେ ଆରଏସଏସର ନେତା ରାମ ମାଧବ କହିଥିବା କଥାକୁ ବି ବିଚାର କରାଯାଉ । କେରଳରେ ମଧ୍ୟ ତାଲିବାନୀ ମାନସିକତାର ଝଲକ ଦେଖିବାକୁ ମିଳିଥିଲା ବୋଲି ସେ କହିଛନ୍ତି ।

କୋଝିକୋଡରେ ଏକ କାର୍ଯ୍ୟକ୍ରମରେ ରାମ ମାଧବ କହିଲେ ଯେ ବ୍ରିଟିଶ ଶାସନ କାଳରେ ୧୯୨୧ ମୋପଲା ବିଦ୍ରୋହ ନାଁରେ ଏଭଳି ତାଲିବାନୀ ମାନସିକତା ଦେଖିବାକୁ ମିଳିଥିଲା । ତେବେ କଶ୍ମୀର ହେଉ କି କେରଳ- ଲୋକଙ୍କୁ ବିଭାଜିତ କରିବାକୁ ଏବଂ ସାଧାରଣରେ ଅଶାନ୍ତ ବାତାବରଣ ସୃଷ୍ଟି କରିବାକୁ ଦେଶବାସୀ କେବେ ବି ସୁଯୋଗ ଦେବେ ନାହିଁ । ରାମ ମାଧବ ଆହୁରି କହିଥିଲେ ଯେ ତାଲିବାନୀଙ୍କ ଦ୍ୱାରା ପୂର୍ବରୁ ଓ ଏବେ ଦିଆଯାଉଥିବା ଅତ୍ୟାଚାର ସମ୍ପର୍କରେ ସାରା ବିଶ୍ୱ ଖବର ଦେଖୁଛନ୍ତି । କଠୋରପନ୍ଥୀ ଇସ୍ଳାମିକ୍ ଚିନ୍ତାଧାରାରୁ ହିଁ ଏଭଳି ମାନସିକତା ଓ କାର୍ଯ୍ୟକଳାପ ସୃଷ୍ଟି ହୋଇଛି । ଏଠାରେ ମୋପଲା ବିଦ୍ରୋହ ରୂପରେ ଲୋକେ ସେହି ଝଲକ ପୂର୍ବରୁ ଦେଖିସାରିଛନ୍ତି ବୋଲି ସେ କହିଛନ୍ତି ।

ଏଥିରୁ ସ୍ପଷ୍ଟ ଯେ ଏକ ଉତ୍ତମ ସଂସ୍କାର ହିଁ କଳୁଷିତ ମାନସିକତାକୁ ଦମନ କରିପାରିବ । ଏକ ଦୀର୍ଘକାଳୀନ ସାଧନା ହିଁ ଆତଙ୍କ ବଳୟକୁ ଭେଦ କରିପାରିବ । ଘରେ-ପରିବାରରେ ଦିଆଯାଉଥିବା ସଂସ୍କାର ହିଁ ଜଣଙ୍କ ଜୀବନଚର୍ଯ୍ୟା ପାଇଁ ଅମୂଲ୍ୟ ସମ୍ପଦ । ବୁଦ୍ଧି ଉଦ୍ରେକ ହେବା ଆଗରୁ ରକ୍ତ ରକ୍ତରେ ବିଶ୍ୱ-ଭାତୃମୟର ଅମୃତ ଭାବ ଭରିଦେବା ଗୁରୁ ଦାୟିତ୍ୱ ମା’ ଓ ବାପାଙ୍କର ରହିଛି । ଶିଶୁର ଆଦ୍ୟଗୁରୁ ହିଁ ବଦଳାଇ ପାରିବେ ବିଶ୍ୱ । ସାମାଜିକ ସଂହତିର ଜୟଗାନ ସ୍ୱର ସୃଷ୍ଟି ପାଇଁ ବିଶ୍ୱର ପ୍ରତି ସ୍ଥାନରେ ପରିବାରକୁ ଆଦର୍ଶ କରିବାକୁ ହେବ । ଏହି ଚିନ୍ତନରେ ବ୍ରତୀ ହେବା ଆମର ମାନବୀୟ ମୂଲ୍ୟବୋଧର ପ୍ରକୃତ ପରିଚୟ ଓ ସାମାଜିକ ଉତ୍ତରଦାୟିତ୍ୱ ।