CHARIDHAM

ଅଘୋରୀ ଅବତାରରେ ତାମିଲନାଡ଼ୁ ଚାଷୀ; ହାତରେ ନର କଙ୍କାଳ ଧରି ରାସ୍ତାରେ ଶୋଇ କଲେ ପ୍ରତିବାଦ

ଚେନ୍ନାଇ: ତାଣ୍ଡବ କଲେ ତାମିଲନାଡ଼ୁ ଚାଷୀ। କିଏ ନରମୁଣ୍ଡ ଧରି ଗଡ଼ିଲେ ତ କିଏ ଟାୱାର୍ ଉପରେ ଚଢ଼ିଗଲେ। ତାମିଲନାଡୁର ତ୍ରିଚିରେ ମଙ୍ଗଳବାର କିଛି କୃଷକ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରୁଥିବା କୃଷକମାନଙ୍କ ସମର୍ଥନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପଞ୍ଜାବ କୃଷକଙ୍କ ‘ଦିଲ୍ଲୀ ଚଲୋ’ର ଆହ୍ୱାନକୁ ସମର୍ଥନ କରି ତ୍ରିଚିର କୃଷକମାନେ ନର କଙ୍କାଳ ଧରି ରାସ୍ତାରେ ଶୋଇଥିବା ଦେଖିବାକୁ ମିଳିଛି ।

ଅନେକ କୃଷକ ପାଖରେ ଥିବା ମୋବାଇଲ୍ ଫୋନ୍ ଟାୱାର ଉପରେ ମଧ୍ୟ ଚଢ଼ିଥିବା ଦେଖିବାକୁ ମିଳିଥିଲା। କୃଷକ ନେତା ପି. ଆୟାକାନ୍ନୁ କହିଛନ୍ତି ଯେ ଭାରତର ସମ୍ବିଧାନ ଅନୁଯାୟୀ ଆମେ ଦେଶର ଯେକୌଣସି ସ୍ଥାନକୁ ଯିବାକୁ ସ୍ୱାଧୀନ କିନ୍ତୁ ପୋଲିସ ଆମକୁ ଦିଲ୍ଲୀ ଯିବାକୁ ଅନୁମତି ଦେଉନାହିଁ । ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର କୌଣସି ଆସନରୁ ଆଗାମୀ ନିର୍ବାଚନ ଲଢ଼ିବେ, ତେବେ ଜଣେ କୃଷକ ତାଙ୍କ ବିରୋଧରେ ଛିଡ଼ା ହେବେ।

ସେପଟେ ହରିୟାଣା ଓ ପଞ୍ଜାବ ସୀମାରେ ଥିବା ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକମାନେ ଫ୍ଲାଏଓଭରରେ ସୁରକ୍ଷା ପାଇଁ ଥିବା ପ୍ରତିବନ୍ଧକ ଭାଙ୍ଗିଛନ୍ତି। ପଞ୍ଜାବ, ହରିୟାଣା ଓ ଅନ୍ୟାନ୍ୟ ରାଜ୍ୟର ଶତାଧିକ କୃଷକ ଆଜି ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିଛନ୍ତି। ହରିୟାଣା ପୋଲିସ ଅନେକ କୃଷକଙ୍କୁ ଅଟକ ରଖିଛି। ଚାଷୀଙ୍କୁ ଅଟକାଇବା ପାଇଁ ପୋଲିସ ରାସ୍ତାରେ ଅନେକ ବାଧା ସୃଷ୍ଟି କରିଛି। କୃଷକମାନେ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଶମ୍ଭୁ ସୀମାରେ ବିପୁଳ ସଂଖ୍ୟକ ପୋଲିସଙ୍କୁ ମୁତୟନ କରାଯାଇଛି।