ନୂଆଦିଲ୍ଲୀ: ହିଜାବକୁ ନେଇ ବିବାଦ ଜାରି ରହିଛି । କର୍ଣ୍ଣାଟକରେ ଏହାକୁ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁମତି ନେଇ ଦାବି ଜୋର ଧରିଥିବା ବେଳେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନସରିନ୍ । ସେ ସମ୍ପୂର୍ଣ୍ଣ ଭାବରେ ହିଜାବ ବିରୁଦ୍ଧରେ ମତ ଦେଇଛନ୍ତି । ତସଲିମା କହିଛନ୍ତି ଯେ, ହିଜାବ, ବୁର୍ଖା ଏବଂ ନିକାବ ଏଗୁଡ଼ିକ ସବୁ ଏକ ଅତ୍ୟାଚାରର ପ୍ରତୀକ। ଶିକ୍ଷାନୁଷ୍ଠାନରେ ୟୁନିଫର୍ମ ଡ୍ରେସକୋଡ୍ ପ୍ରସ୍ତାବକୁ ନେଇ ସେ କହିଛନ୍ତି ଯେ, ଶିକ୍ଷାର ଅଧିକାରକୁ ମୁଁ ଧାର୍ମିକ ଅଧିକାର ଅର୍ଥରେ ବିଶ୍ୱାସ କରେ। ଶିକ୍ଷାନୁଷ୍ଠାନରେ ହିଜାବର କଣ ଆବଶ୍ୟକତା ରହିଛି ବୋଲି ତସଲିମା ପ୍ରଶ୍ନ କରିଛନ୍ତି । ହିଜାବକୁ କିଛି ମୁସଲିମ୍ ଆବଶ୍ୟକ ଓ ଆଉ କିଛି ଅନାବଶ୍ୟକ ବୋଲି ଭାବନ୍ତି ।
ସେ ଆଗକୁ କହିଛନ୍ତି ଯେ, ସପ୍ତମ ଶତାବ୍ଦୀରେ ହିଜାବର ଆବିର୍ଭାବ ଘଟିଥିଲା । କାରଣ ସେତେବେଳେ ମହିଳାମାନଙ୍କୁ ଗୋଟିଏ ଗୋଟିଏ ଯୌନ ସାମଗ୍ରୀ ଭାବେ ପରିଗଣିତ କରାଯାଉଥିଲା। ସେମାନେ ଭାବୁଥିଲେ ଯଦି ପୁରୁଷମାନେ ମହିଳାଙ୍କୁ ଦେଖନ୍ତୁ ବା ଚାହାଁନ୍ତି ତାହେଲେ ତାଙ୍କ ଭିତରେ ଯୌନ ଆକାଂକ୍ଷା ଥିବା ବୁଝିବାକୁ ପଡ଼ିବ । ତେଣୁ ମହିଳାମାନେ ହିଜାବ କିମ୍ବା ବୁର୍ଖା ପିନ୍ଧୁଥିଲେ। ପୁରୁଷମାନଙ୍କଠାରୁ ସେମାନେ ନିଜକୁ ଲୁଚାଇ ରଖୁଥିଲେ। କିନ୍ତୁ ଏବେକାର ଆଧୁନିକ ସମାଜରେ ମହିଳାମାନେ ପୁରୁଷଙ୍କ ଭଳି ସମାନ ବୋଲି ଆମେ ଶିଖିଛେ । ତେଣୁ ହିଜାବ, ନିକାବ କିମ୍ବା ବୁର୍ଖା ଏଗୁଡ଼ିକ ସବୁ ଜୁଲମ୍ ବା ଅତ୍ୟାଚାରର ପ୍ରତୀକ। ଏହା ମହିଳାମାନଙ୍କୁ ନିଚ୍ଚା କରି ରଖିଥାଏ। ମୁକ୍ତ ସ୍ୱାଧୀନତା ଓ ମୁକ୍ତ ଚିନ୍ତନରେ ପରଦା ପ୍ରତିବନ୍ଧକ ସାଜିଥାଏ।
ଧର୍ମଠାରୁ ଶିକ୍ଷା ହେଉଛି ଗୁରୁତ୍ୱପୂର୍ଣ୍ଣ । ଆମେ ଏକ ଧର୍ମନିରପେକ୍ଷତା ସମାଜରେ ସ୍କୁଲ ଏବଂ କଲେଜରେ ଧର୍ମନିରପେକ୍ଷତା ଡ୍ରେସ୍ କୋଡ୍ ହେବା ଉଚିତ ବୋଲି ତସଲିମା କହିଛନ୍ତି । ଲୋକମାନଙ୍କ ମଧ୍ୟରେ ଧାର୍ମିକ ବିଶ୍ୱାସ ରହୁ କିନ୍ତୁ ଏହାକୁ ସେମାନେ ଘରେ କିମ୍ବା ଅନ୍ୟ କେଉଁଠି ପାଳନ କରନ୍ତୁ । କିନ୍ତୁ ଶିକ୍ଷାନୁଷ୍ଠାନ ଭଳି ଧର୍ମନିରେପକ୍ଷ ସଂସ୍ଥାରେ ଧାମିର୍କ କାର୍ୟ୍ୟକଳାପରୁ ଦୂରେଇ ରହିବା ଉଚିତ ।