fbpx

ଲୋୟର ପିଏମ୍‌ଜିରେ ଧାରଣା ପାଇଁ ଶିକ୍ଷକଙ୍କୁ ମିଳିଲାନି ଅନୁମତି

ଭୁବନେଶ୍ୱର: ବୁଧବାର ଅର୍ଥାତ ଆସନ୍ତାକାଲି ଲୋୟର ପିଏମ୍‌ଜିରେ ଧାରଣା ପାଇଁ ଶିକ୍ଷକମାନଙ୍କୁ ଅନୁମତି ମିଳିନାହିଁ। ଟ୍ରାଫିକ୍ ସମସ୍ୟା ଉପୁଜିବା ଆଳରେ କମିଶନରେଟ୍ ପୋଲିସ ଧରଣା ପାଇଁ ଅନୁମତି ଦେବାକୁ ମନା କରି ଦେଇଛି। ଆସନ୍ତାକାଲିର ଧାରଣାରେ ପ୍ରାୟ ୪୦ ହଜାର ଶିକ୍ଷକ ଏକଜୁଟ୍ ହେବାର ଆଶଙ୍କା ଥିବାରୁ ଏହି ନିଷ୍ପତି ନିଆଯାଇଥିବା କୁହାଯାଇଛି। ବର୍ତ୍ତମାନ ମାଟ୍ରିକ ପରୀକ୍ଷା ଚାଲିଥିବାରୁ ପିଲାମାନେ ସମସ୍ୟାର ସମ୍ମୁଖିନ ହୋଇପାରନ୍ତି। ତେଣୁ କୌଣସି ପ୍ରକାର ସମସ୍ୟାକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତି ନେଇଛି କମିସନରେଟ ପୋଲିସ।

ସେହିପରି ଦଶଦଫା ଦାବି ପୂରଣ ପାଇଁ ଆସନ୍ତାକାଲି ଡ୍ରାଇଭର ମହାସଂଘ ଆନ୍ଦୋଳନ ଡାକରା ଦେଇଥିବା ବେଳେ ଘରୋଇ ବସ୍ ମାଲିକ ସଂଘ ଏହାକୁ ସମର୍ଥନ କରିନାହିଁ । ମାଟ୍ରିକ ପରୀକ୍ଷା ଚାଲିଥିବାରୁ ପିଲାମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାଭାବିକ ଭାବେ ବସ୍‍ ଚଳାଇବାକୁ ମାଲିକ ସଂଘ ନିଷ୍ପତ୍ତି ନେଇଛି। ତେବେ ଡ୍ରାଇଭର ସଂଘର ଆନ୍ଦୋଳନ ଡାକରା ଦୃଷ୍ଟିରୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବସ୍‍ ମାଲିକ ସଂଘ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛି। ଏହି ପରିପ୍ରେକ୍ଷୀରେ କମିସନରେଟ ପୋଲିସ କମିସନର କହିଛନ୍ତି ଯେ, କେହି ଡ୍ରାଇଭର ଯଦି କୌଣସି ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରନ୍ତି, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ତେବେ ଏହି ଘଟଣାକୁ ନେଇ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଡ୍ରାଇଭର ସଂଘ ଆମକୁ କିଛି ଦାବିପତ୍ର ଦେଇନି। ଆମେ ସ୍ୱାଭାବିକ ଭାବେ ବସ୍‍ ଚଳାଚଳ କରିବୁ। ଏହା ସତ୍ତ୍ୱେ ଯଦି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜେ ଆମେ ଆଇନର ଆଶ୍ରୟ ନେବୁ। ଏନେଇ ଆମେ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦେଇଛୁ। ତେବେ ଯାତ୍ରୀବାହୀ ବସ୍‌ ଗୁଡ଼ିକୁ କୌଣସି ସ୍ଥାନରେ କେହି ଅଟକାଇବେ ନାହିଁ ବୋଲି ଡିଜିପି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସାହୁ କହିଛନ୍ତି।

Get real time updates directly on you device, subscribe now.