ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇପାରେ । ତେଣୁ ଏହି ଦଳରେ କେଉଁ ଖେଳାଳିମାନଙ୍କୁ ସୁଯୋଗ ମିଳିବ, ସେ ନେଇ ଚର୍ଚ୍ଚା ଲାଗି ରହିଛି । ବିଶେଷ କରି ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ କମବ୍ୟାକକୁ ଚାହିଁ ରହିଛନ୍ତି କ୍ରିକେଟ ଫ୍ୟାନ୍ସ । ଏହାବ୍ୟତୀତ ପ୍ରଥମ ଟେଷ୍ଟ ପରେ ଆହତ ହୋଇ ଦଳରୁ ବାଦ୍ ପଡ଼ିଥିବା ଷ୍ଟାର କ୍ରିକେଟର କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜାଙ୍କ ଫେରିବା ନେଇ ମଧ୍ୟ ଆଶା ଦେଖାଯାଉଛି । ତେବେ ବିସିସିଆଇ ଏମାନଙ୍କୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।
ଇଂଲର୍ଡ ବିପକ୍ଷରେ ଶେଷ ୩ଟି ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ଆଜି ଦଳ ଘୋଷଣା କରିବ ବୋଲି ଅନୁମାନ କରାଯାଉଛି । ଆଜି ଚୟନ ସମିତିର ବୈଠକରେ ଏହି ଦଳ ଘୋଷଣା କରିପାରେ ଭାରତୀୟ କ୍ରିକେଟ ବୋର୍ଡ । ତେବେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏହି ସିରିଜରୁ ବାଦ୍ ପଡ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ବିରାଟ ପୁଣିଥରେ ଚୟନ ପାଇଁ ଉପଲବ୍ଧ ହେଲେ ଦଳରେ ତାଙ୍କୁ ସାମିଲ କରାଯିବ । ଇଂଲଣ୍ଡ ବିପକ୍ଷ ସିରିଜରେ ତାଙ୍କୁ ଚୟନ କରାଯାଇଥିଲେ ମଧ୍ୟ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିଲେ । ଏହାପରେ ବର୍ତ୍ତମାନ ସେ ଶେଷ ଆଗାମୀ ଟେଷ୍ଟ ପାଇଁ ମଧ୍ୟ ଉପଲବ୍ଧ ରହି ନ ପାରନ୍ତି ।
ଫେରିବେ କି ଚେତେଶ୍ୱର ପୂଜାରା?
ଆସନ୍ତା ୧୫ ତାରିଖରେ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ପାଇଁ ରାଜକୋଟରେ ମୁହାଁମୁହିଁ ହେବେ । ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟିଂ ସାମାନ୍ୟ ଦୁର୍ବଳ ମନେ ହେଉଛି । ତେଣୁ ଏହି ମ୍ୟାଚରେ ଦଳର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କୁ ଦଳରେ ସାମିଲ କରିବା ପାଇଁ ଚିନ୍ତା କରିପାରେ ବିସିସିଆଇ । ରଣଜୀ ଟ୍ରଫିରେ ଦମଦାର ପ୍ରଦର୍ଶନ କରି ପୂଜାରା ଭାରତୀୟ ଦଳରେ ଚୟନ ହେବା ପାଇଁ ବାଟ ଖୋଲି ଦେଇଛନ୍ତି । ଏହାବ୍ୟତୀତ ଦଳରେ ଶୁଭମନ ଗିଲ ଏବଂ ଶ୍ରେୟସ ଆୟରଙ୍କ ପ୍ରଦର୍ଶନ ଉପରେ ମଧ୍ୟ ବିସିସିଆଇ ଚିନ୍ତା କରିବ । ଗିଲ୍ ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କରି ନିଜ ସ୍ଥାନ ପକ୍କା କରିଥିବା ବେଳେ ଶ୍ରେୟସଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ମିଳିପାରେ ।