fbpx

ଅଗଷ୍ଟରେ ଜିମ୍ବାୱେ ଗସ୍ତ କରିପାରେ ଟିମ ଇଣ୍ଡିଆ: ନୂଆ ସିରିଜରେ ମିଳିବ କି ନୂଆ ଅଧିନାୟକ?

ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆ ଅନେକ ସିରିଜ ଖେଳିବାର ସୂଚୀ ରହିଛି । ଏବେ ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ ଏହାପରେ ୱେଷ୍ଟ ଇଣ୍ଡିଜ ଗସ୍ତରେ ଯିବ । ତେବେ ଏହାପରେ ଅଗଷ୍ଟ ମାସରେ ଆଉ ଏକ ଗସ୍ତ କରିପାରେ ବୋଲି ଅନୁମାନ କରାଯାଉଛି । ଜିମ୍ବାୱେ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବା ପାଇଁ ଗସ୍ତ କରିପାରେ ଟିମ ଇଣ୍ଡିଆ । ତେବେ ମ୍ୟାଚର ତାରିଖ ଏପର୍ଯ୍ୟନ୍ତ ଘୋଷଣା ନ ହୋଇଥିଲେ ମଧ୍ୟ ଏହା ୧୮,୨୦ ଏବଂ ୨୨ ତାରିଖରେ ଖେଳାଯାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ଏହି ସିରିଜ ପାଇଁ ମଧ୍ୟ ଟିମ ଇଣ୍ଡିଆକୁ ନୂଆ ଅଧିନାୟକ ମିଳିବ ।

ବିଗତ କିଛି ଦିନରେ ପ୍ରତ୍ୟେକ ସିରିଜ ପାଇଁ ନୂଆ ନୂଆ ଅଧିନାୟକ ଦେଇଛି ଭାରତ । ଚଳିତ ବର୍ଷ ଭାରତ ମୋଟ ୬ ଜଣ ଅଧିନାୟକ ପାଇଛି । ବିରାଟ କୋହଲି, ରୋହିତ ଶର୍ମା, କେ.ଏଲ ରାହୁଲ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମରାହ ଭାବରେ ୬ ଜଣ ପାଇଥିବା ବେଳେ ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତ ପାଇଁ ଶିଖର ଧୱନଙ୍କୁ ଦାୟିତ୍ୱ ଦିଆଯାଇଛି । ତେଣୁ ଜିମ୍ବାୱେ ବିପକ୍ଷରେ ଭାରତ ଆଉ ଜଣେ ଅଧିନାୟକ ଦେଇପାରେ ବୋଲି ଆଶା କରାଯାଉଛି ।

ତେବେ ସିନିୟର କ୍ରିକେଟରମାନେ କେବଳ ବଡ ବଡ ସିରିଜରେ ଭାଗ ନେଉଛନ୍ତି । ୱେଷ୍ଟଇଣ୍ଡିଜ ବିପକ୍ଷ ଆଗାମୀ ଦିନିକିଆ ସିରିଜରେ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜସପ୍ରୀତ ବୁମରାହ ଭଳି ସିନିୟର ଖେଳାଳିମାନଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ଜିମ୍ବ।।ୱେ ଗସ୍ତରେ ମଧ୍ୟ ଏମାନଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି କୁହାଯାଉଛି ।

Get real time updates directly on you device, subscribe now.