ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପରାଜୟ ପରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ହାତଛଡା କରିଛି ଟିମ ଇଣ୍ଡିଆ । ଏହା ସହିତ ଟିମ ଇଣ୍ଡିଆକୁ ଲାଗିଛି ଆଉ ଏକ ଶକ୍ତ ଝଟକା । ମ୍ୟାଚ ପରେ ଟିମ ଇଣ୍ଡିଆ ଉପରେ ଲାଗିଛି ଏକ ବଡ ଜରିମାନା । ସ୍ଲୋ ଓଭର ରେଟ ଯୋଗୁଁ ଭାରତର ୧୦୦ ପ୍ରତିଶତ ମ୍ୟାଚ ଫିସ୍ କାଟିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏ ନେଇ ପୂର୍ବରୁ ଆଶଙ୍କା କରାଯାଉଥିଲା । ଦଳ ସହିତ ଷ୍ଟାର ଓପନର ଶୁଭମନ ଗିଲଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି । ଏହାବ୍ୟତୀତ ଟେଷ୍ଟ ଚମ୍ପିଆନ୍ ଅଷ୍ଟ୍ରେଲିଆ ଦଳ ଉପରେ ମଧ୍ୟ ଏହି ଜରିମାନା ଲାଗୁ କରାଯାଇଛି ।
ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆର ୧୦୦% ମ୍ୟାଚ ଫିସ୍ ଜରିମାନା ଲାଗୁ କରାଯାଇଥିବା ବେଳେ ଅଷ୍ଟ୍ରେଲିଆ ଉପରେ ୮୦ ପ୍ରତିଶତ ଜରିମାନା ଲଗାଯାଇଛି । ତେବେ ଦଳ ସହିତ ଫାଇନ ପଡିବା ସହିତ ଟିମ ଇଣ୍ଡିଆର ଷ୍ଟାର ଓପନର ଶୁଭମନ ଗିଲଙ୍କୁ ଅତିରିକ୍ତ ୧୫% ଜରିମାନା ଲାଗୁ ହୋଇଛି । ଅର୍ଥାତ୍ ଗିଲଙ୍କ ଉପରେ ଏହି ମ୍ୟାଚର ୧୧୫ ପ୍ରତିଶତ ଜରିମାନା ଲାଗୁ ହୋଇଛି । ତେବେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ଭାରତ ଟ୍ରଫି ହରାଇବା ସହିତ ସମ୍ପୂର୍ଣ୍ଣ ମ୍ୟାଚ ଫିସ୍ ମଧ୍ୟ ହରାଇଛି । ତେଣୁ ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆକୁ ଖାଲି ହାତରେ ଫେରିବାକୁ ପଡିବ ।
ତେବେ ଫାଇନାଲ ମ୍ୟାଚର ଚତୁର୍ଥ ଦିନରେ ଶୁଭମନ ଗିଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯାହାକୁ ନେଇ କୋଡ ଅଫ କଣ୍ଡକ୍ଟର ଧାରା ୨.୭ ଅନୁଯାୟୀ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେଣୁ ଏହି ଅଭିଯୋଗରେ ଗିଲଙ୍କ ଉପରେ ଅତିରିକ୍ତ ୧୫% ଜରିମାନା ଲାଗୁ କରିଛି ଆଇସିସି ।