fbpx

Team India ଗୋଟିଏ ଦିନରେ ଖେଳିବ ଦୁଇଟି ମ୍ୟାଚ: ଭାଗ ହୋଇଯିବ ଭାରତୀୟ ଦଳ

ନୂଆଦିଲ୍ଲୀ: ଅକ୍ଟୋବର ୩ ଅର୍ଥାତ୍ ଆସନ୍ତାକାଲି ଭାରତୀୟ କ୍ରିକେଟ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ଦିନ ବୋଲି କୁହାଯାଇପାରେ । କାରଣ ଏହି ଗୋଟିଏ ଦିନରେ ଭାରତ ଦୁଇଟି ମ୍ୟାଚ ଖେଳିବାକୁ ଯାଉଛି । ଆସନ୍ତାକାଲି ଗୋଟିଏ ମ୍ୟାଚ ସକାଳେ ଖେଳାଯିବାକୁ ଥିବା ବେଳେ ଅନ୍ୟଟି ମଧ୍ୟାହ୍ନ ୨ଟା ବେଳେ ଖେଳିବ ଟିମ ଇଣ୍ଡିଆ । ତେବେ ଏହା କିପରି ସମ୍ଭବ ହୋଇପାରିବ? ଗୋଟିଏ ଦିନରେ କୌରସି ଦଳ ଦୁଇଟି ମ୍ୟାଚ କିପରି ଖେଳିପାରିବ ବୋଲି ଅନେକ ପ୍ରଶ୍ନ ଉଠିପାରେ । ତେବେ ଚାଲନ୍ତୁ ଜାଣିବା ଏହାର ଉତ୍ତର ।

ଅକ୍ଟୋବର ୩ ତାରିଖରେ ଭାରତୀୟ ଦଳ ଦୁଇଟି ମ୍ୟାଚ କେଳିବାକୁ ଯାଉଛି । ଗୋଟିଏ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସେନା ବିଶ୍ୱକପ ପୂର୍ବରୁ ୱାର୍ମ-ଅପ୍ ମ୍ୟାଚ ଖେଳିବାକୁ ଥିବା ବେଳେ ଅନ୍ୟ ମ୍ୟାଚରେ ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡଙ୍କ ନେତୃତ୍ୱରେ ଭାରତ ଏସିଆନ୍ ଗେମ୍ସରେ ଭାଗ ନେବାକୁ ଯାଉଛି । ତେବେ ଏଥିପାଇଁ ବିସିସିଆଇ ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରିଛି । ବିଶ୍ୱକପ ପାଇଁ ରୋହିତ, ବିରାଟଙ୍କ ସମେତ ଦଳର ବରିଷ୍ଠ ଏବଂ ଅଭିଜ୍ଞ ସଦସ୍ୟମାନଙ୍କୁ ସ୍ଥାନ ଦେଇଥିବା ବେଳେ ଏସିଆନ୍ ଗେମ୍ସରେ ଋତୁରାଜଙ୍କ ଅଧୀନରେ ଖେଳିବେ ଯୁବ ପ୍ରତିଭା ।

ସକାଳେ ଏସିଆନ୍ ଗେମ୍ସରେ ଭାରତ ଏବଂ ନେପାଳ ସହ କ୍ୱାର୍ଟର ଫାଇନାଲ ମ୍ୟାଚରୁ ନିଜ ଅଭିଯାନ ଆରମ୍ଭ କରିବ । ଭାରତୀୟ ସମୟାନୁସାରେ, ଏହା ସକାଳ ୬.୩୦ରେ ଆରମ୍ଭ ହେବ । ଅନ୍ୟ ପକ୍ଷରେ ବିଶ୍ୱକପ ପୂର୍ବରୁ ଦ୍ୱିତୀୟ ୱାର୍ମ-ଅପ୍ ମ୍ୟାଚ ଖେଳିବ ରୋହିତ ସେନା । ଦିନ ୨ଟାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚରେ ଭାରତର ସିନିୟର ଦଳ ନେଦରଲାଣ୍ଡକୁ ଭେଟିବ । ଇଂଲଣ୍ଡ ବିପକ୍ଷ ଭାରତର ପ୍ରଥମ ୱାର୍ମ-ଅପ୍ ମ୍ୟାଚ ବର୍ଷା ଯୋଗୁଁ ରଦ୍ଦ ହୋଇଥିଲା ।

Get real time updates directly on you device, subscribe now.