ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇପାରିବ । ଫଳରେ ଭାରତକୁ ବର୍ଡର ଗାଭାସ୍କାର ଟ୍ରଫି ହାତଛଡ଼ା କରିବାକୁ ପଡ଼ିବ । ଏଭଳି ଏକ ଭବିଷ୍ୟବାଣୀ କରିଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ । ଭାରତର ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ରୋହିତ ସେନାକୁ ରିକି ପଣ୍ଟିଂ ଏଭଳି ଚେତାବନୀ ଦେଇଛନ୍ତି । ତେଣୁ ଟିମ ଇଣ୍ଡିଆକୁ ଏହି ସିରିଜରେ ସତର୍କ ରହିବାକୁ ପଡ଼ିବ । ରିକି ପଣ୍ଟିଂଙ୍କ ବୟାନ ପରେ ଏବେ ସବୁଠି ଏହି ସିରିଜକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି ।
ଆସନ୍ତା ଅକ୍ଟୋବର ୧୬ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ । ବର୍ଡର ଗାଭାସ୍କର ସିରିଜରେ ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳିବେ ଉଭୟ ଦଳ । ଭାରତ ଗସ୍ତ ସମୟରେ ଟିମ ଇଣ୍ଡିଆକୁ ପରାଜୟର ସାମନା କରିବାକୁ ପଡ଼ିଛି । ବର୍ତ୍ତମାନ ବର୍ଡର ଗାଭାସ୍କର ଟ୍ରଫି ଭାରତ ହାତରେ ରହିଥିବା ବେଳେ ଅଷ୍ଟ୍ରେଲିଆ ୨୦୧୭ ପରଠାରୁ ଏହି ଟ୍ରଫି ବିଜୟୀ ହୋଇ ପାରିନାହିଁ । ତେବେ ଏ ନେଇ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ କହିଛନ୍ତି ଯେ, ଏହି ସିରିଜ ଖୁବ ରୋମାଞ୍ଚକର ହେବାକୁ ଯାଉଛି । ଏହି ସିରିଜ ଅଷ୍ଟ୍ରେଲିଆକୁ ବିଶେଷ କରି ଭାରତ ବିରୋଧରେ ନିଜକୁ ପ୍ରମାଣ କରିବାର ଏକ ସୁଯୋଗ ରହିବ । ଏଠାରେ ଖେଳା ଯାଇଥିବା ଗତ ୨ଟି ସିରିଜ ଅଷ୍ଟ୍ରେଲିଆ ପାଇଁ ଖରାପ ରହିଛି । ତେଣୁ ଏହି ସିରିଜ ବିଜୟ ପାଇଁ ଦଳ ପ୍ରାଣପଣେ ଚେଷ୍ଟା କରିବ ।
ଏହାପରେ ରିକି ପଣ୍ଟିଂ କହିଛନ୍ତି ଯେ, ଚଳିତବର୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଗତ କିଛିଟା ସିରିଜ ୪ ମ୍ୟାଚ ବିଶିଷ୍ଟ ରହିଥିଲା । କିନ୍ତୁ ସିରିଜରେ ୫ଟି ମ୍ୟାଚ୍ ରହିଲେ ଏହା ଆହୁରି ରୋମାଞ୍ଚକର ହୋଇପାରିବ । ତେବେ ଏହି ବର୍ଡର ଗାଭାସ୍କର ସିରିଜରେ ଅଷ୍ଟ୍ରେଲିଆ ହିଁ ବିଜୟୀ ହେବ । ଡ୍ର ରହିବାର ସମ୍ଭାବନା କମ୍ ରହିଛି । ତେବେ ପାଗ ଖରାପ ରହିଲେ ପ୍ରାୟ ଗୋଟିଏ ମ୍ୟାଚ୍ ଡ୍ର ରହିପାରେ । ଅଷ୍ଟ୍ରେଲିଆ ୩-୧ରେ ସିରିଜ ବିଜୟୀ ହେବା ନେଇ ଭବିଷ୍ୟବାଣୀ କରିଛନ୍ତି ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ।