fbpx

Beaking News; ଫେଲ ମାରିଲା ଟିମ ଇଣ୍ଡିଆର ବ୍ୟାଟିଂ ୟୁନିଟ: ଫାଇନାଲରେ ୨୪୧ ରନର ଟାର୍ଗେଟ

ଅହମ୍ମଦାବାଦ: ଗୁଜୁରାଟ ଅହମ୍ମଦାବାଦରେ ଭାରତର ବ୍ୟାଟିଂ ୟୁନିଟ ସମ୍ପୂର୍ଣ୍ଣ ଭାବରେ ଭୁଷୁଡ଼ି ପଡ଼ିଛି । ଚଳିତ ବିଶ୍ୱକପରେ ସର୍ବଶ୍ରେଷ୍ଠ ବ୍ୟାଟିଂ ୟୁନିଟ ଭାବରେ ପ୍ରମାଣିତ ହୋଇଥିଲେ ମଧ୍ୟ ଫାଇନାଲ ମ୍ୟାଚରେ ଫେଲ ମାରିଛି ଟିମ ଇଣ୍ଡିଆ । ଦମଦାର ଆରମ୍ଭ ମିଳିବା ପରେ ଲଗାତାର ଅନ୍ତରାଳରେ ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ରୋହିତ ସେନା । ଦଳର ଅଧିକାଂଶ ବ୍ୟାଟର ଦୁଇ ଅଙ୍କ ଛୁଇଁବାରେ ମଧ୍ୟ ଅସମର୍ଥ ହୋଇଛନ୍ତି । ଫଳରେ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭଳି ଦଳକୁ ମାତ୍ର ୨୪୧ ରନର ଟାର୍ଗେଟ ଦେଇଛି ଭାରତ ।

ସାରା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିସ୍ଫୋରକ ଇନିଂସ ଖେଳିଥିବା ଟିମ ଇଣ୍ଡିଆର ବ୍ୟାଟର ଫାଇନାଲ ମ୍ୟାଚରେ ହିଁ ଫେଲ ମାରିଛନ୍ତି । ଏପରିକି ଟପ୍ ଅର୍ଡରର ୪ ଜଣ ଶତକବୀର ମଧ୍ୟ ଭାରତକୁ ବଡ଼ ସ୍କୋର କରିବାରେ ଅସମର୍ଥ ହୋଇଛନ୍ତି । ଅଧିନାୟକ ରୋହିତ ଶର୍ମା ଭାରତ ପାଇଁ ଦମଦାର ଆରମ୍ଭ କରିଥିଲେ ମଧ୍ୟ ଗିଲ୍ ମାତ୍ର ୪ ରନ୍ କରି ପଞ୍ଚମ ଓଭରରେ ହିଁ ପାଭିଲିୟନ ଫେରି ଯାଇଥିଲେ । ଏହାପରେ ରୋହିତ ଏବଂ ବିରାଟ ଦଳକୁ ବଡ଼ ସ୍କୋରରେ ପହଞ୍ଚାଇବେ ବୋଲି ଆଶା ରଖିଥିଲେ କୋଟି କୋଟି କ୍ରିକେଟପ୍ରେମୀ । କିନ୍ତୁ ରୋହିତ ମଧ୍ୟ ମାତ୍ର ୪୭ ରନରେ ମାକ୍ସୱେଲଙ୍କ ଶିକାର ହୋଇ ଆଉଟ ହୋଇଥିବା ବେଳେ ଶ୍ରେୟସ ଆୟର ମାତ୍ର ୪ ରନରେ ପାଭିଲିୟନ ଫେରିଛନ୍ତି । ତେବେ ଏହାପରେ କୋହଲି-ରାହୁଲ ଦଳକୁ ସମ୍ଭାଳିବାକୁ ଚେଷ୍ଟା କରି ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ବଡ଼ ସ୍କୋର କରିବାରେ ସକ୍ଷମ ହୋଇ ପାରି ନାହାନ୍ତି । କୋହଲି ୫୪ ଏବଂ ରାହୁଲ ୬୬ ରନ୍ କରି ନିଜ ୱିକେଟ ହରାଇବା ପରେ ଭାରତର ବଡ଼ ଟାର୍ଗେଟର ଆଶା ମଧ୍ୟ ଅଧାରେ ରହିଯାଇଥିଲା ।

ସୂର୍ଯ୍ୟକୁମାର ଯାଦବ ବଡ଼ ଶଟ୍ ଖେଳିବା ଲକ୍ଷ୍ୟରେ ଆଉଟ ହୋଇ ପାଭିଲିୟନ ଫେରିବା ପରେ ଭାରତ ମାତ୍ର ୨୪୦ ରନରେ ଅଟକି ଯାଇଛି । ତେବେ ଏହି ମ୍ୟାଚରେ ଭାରତର ୪ ଜଣ ଶତକବୀର ରୋହିତ, କୋହଲି, ଶ୍ରେୟସ ଏବଂ ରାହୁଲ ବଡ଼ ସ୍କୋର କରିବାରେ ଫେଲ ମାରିଛନ୍ତି । ଯାହା ଫଳରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ଫାଇନାଲ ମ୍ୟାଚରେ ମାତ୍ର ୨୪୧ ରନ୍ ଟାର୍ଗେଟ ଦେଇଛି ରୋହିତ ସେନା । ତେଣୁ ବର୍ତ୍ତମାନ ମହମ୍ମଦ ଶାମୀ ଏବଂ ଦଳର ବୋଲିଂ ୟୁନିଟ ହାତରେ ରହିଛି ବିଶ୍ୱକପ ବିଜୟର ଶେଷ ଆଶା । ଗତ ମ୍ୟାଚ ଭଳି ଦମଦାର ବୋଲିଂ ପ୍ରଦର୍ଶନ ରହିଲେ ହିଁ ଭାରତ ୧୨ ବର୍ଷ ପରେ ବିଶ୍ୱବିଜୟୀ ହେବାର ସୁଯୋଗ ପାଇପାରିବ ।

ତେବେ ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର ସର୍ବାଧିକ ୩ଟି ୱିକେଟ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ଜୋସ ହାଜେଲଉଡ ଏବଂ ଅଧିନାୟକ ପାଟ୍ କମିନ୍ସ ୨ଟି ଲେଖାଏଁ ସଫଳତା ପାଇଥିବା ବେଳେ ଆଡାମ ଜାମ୍ପା ଏବଂ ଗ୍ଲେନ ମାକ୍ସୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ବର୍ତ୍ତମାନ ଅଷ୍ଟ୍ରେଲିଆକୁ ୨୪୧ ରନ୍ ର ବିଜୟ ଲକ୍ଷ୍ୟ ଦେଇଛି ରୋହିତ ସେନା ।

Get real time updates directly on you device, subscribe now.