fbpx

ଆଶଙ୍କାରେ ଭାରତର ସେମି ଫାଇନାଲ ଆଶା; ଜାଣନ୍ତୁ କଣ ରହିଛି ସମୀକରଣ

ନୂଆଦିଲ୍ଳୀ: ଚଳିତ ଟି-୨୦ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରଶଂସକଙ୍କୁ ନିରାଶ କରିଛି । ଦଳ ନିଜର ପ୍ରଥମ ଦୁଇ ମୁକାବିଲାରେ ପରାଜିତ ହେବା ସହିତ ସେମିଫାଇନାଲ ଦୌଡରୁ ଆପାତତଃ ବାଦ ପଡିଛି । ତେବେ ଭାରତର ସେମି ଫାଇନାଲ ପ୍ରବେଶ ଆଶା ଏକାଧିକ କାରକ ଉପରେ ନିର୍ଭରଶୀଳ ରହିବ । ଭାରତର ସେମି ଆଶା ନେଇ ରହିଥିବା ଏହି ଜଟିଳ ଅଙ୍କ ଉପରେ ଆସନ୍ତୁ ଗୋଟିଏ ନଜର ପକାଇବା । ତିନୋଟି ବିଜୟ ସହିତ ପାକିସ୍ତାନ ସେମିକୁ ଆପାତତଃ ଉନ୍ନୀତ ହୋଇ ସାରିଥିବା ବେଳେ ଦ୍ୱିତୀୟ ସ୍ଥାନ ପାଇଁ ଦୌଡରେ ଅଛନ୍ତି ୩ ଦଳ । ଭାରତ, ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଏହି ଦୌଡରେ ରହିଥିବା ବେଳେ ଭାରତ ପାଇଁ ଏହି ସେମି ଅଙ୍କ କିନ୍ତୁ ଅତ୍ୟନ୍ତ ଜଟିଳ ରହିଛି । ଦୁଇଟି ମ୍ୟାଚରେ ପରାଜିତ ହେବା ସହିତ କୋହଲିଙ୍କ ଦଳ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଡୁଆ ପରସ୍ଥିତିରେ ରହିଛି ।

ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ: ସେମି ପ୍ରବେଶ ପାଇଁ ଭାରତକୁ ନିଜର ଅନ୍ତିମ ୩ ମ୍ୟାଚରେ ବିଜୟୀ ହେବାକୁ ପଡିବ । ଏହା ସହିତ ନ୍ୟୁଜିଲାଣ୍ଡ ଅନ୍ୟୁନ ୧ ମ୍ୟାଚ ହାରିବା ନେଇ ଭାରତ ଆଶା ରଖିବ । ଏହା ସହିତ ଆଫଗାନିସ୍ତାନର ମଧ୍ୟ ଅତ୍ୟନ୍ତ ଦମଦାର ପ୍ରଦର୍ଶନ ଜାରି ରଖିଛି । ଆଫଗାନିସ୍ତାନର ପ୍ରଦର୍ଶନକୁ ଦେଖିଲେ ଏହା ସେମିର ଅନ୍ୟତମ ଦୃଢ ଦାବିଦାର ମନେ ହୁଏ । ଆଫଗାନ ଯଦି ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ତେବେ ଭାରତ ପାଖରେ ସେମିର ଏକ ବାସ୍ତବ ସୁଯୋଗ ରହିବ । ତେବେ ଭାରତର ରନରେଟ୍ ଏକ ବଡ ସମସ୍ୟା ଭାବରେ ଉଭା ହେବ । ଆଫଗାନିସ୍ତାନର ନେଟ୍ ରନ ରେଟ୍ +୩.୦୯୭ ରହିଥିବା ବେଳେ ନ୍ୟୁଜିଲାଣ୍ଡର ଏହା ୦.୭୬୫ ରହିଛି । ଏପରି ପରସ୍ଥିତିରେ ଭାରତର ସେମି ପ୍ରବେଶ ଆକାଶ କଇଁଆ ଚିଲିକା ମାଛ ଭଳି ମନେ ହୁଏ । ଭାରତ ନିଜର ପରବର୍ତ୍ତୀ ୩ ମ୍ୟାଚକୁ ବୃହତ ବ୍ୟବଧାନରେ ବିଜୟ ହୋଇ ଆଫଗାନିସ୍ତାନର ରନ ରେଟ ଅତିକ୍ରମ କରିବାକୁ ପ୍ରୟାସ କରିବାର ଆଶ ରଖିଛନ୍ତି ଫ୍ୟାନ ।

Get real time updates directly on you device, subscribe now.