ଭୋ ଭୋ ହୋଇ କାନ୍ଦିଲେ ପିଲେ… କହିଲେ, ସ୍କୁଲ ବନ୍ଦ କରନି, ଆମେ ଏଇଠି ପଢ଼ିବୁ
ଉତ୍ତରପ୍ରଦେଶ ମହାରାଜଗଂଜ ଜିଲ୍ଲାର ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶ: ସ୍କୁଲ ବନ୍ଦ ହେଲେ ଆମେ ପଢ଼ିବୁ କେଉଁଠି। ଆମ ସ୍କୁଲ ଖୋଲି ଦିଅ। ବନ୍ଦ କରନି କହି କାନ୍ଦୁଛନ୍ତି କୁନି କୁନି ପିଲା। ପାଖରେ ଥିବା ଅଭିଭାବକ ମଧ୍ୟ ପିଲାଙ୍କ ଆଖିରେ ଲୁହ ଦେଖି କାନ୍ଦି ପକାଉଛନ୍ତି।
ଉତ୍ତରପ୍ରଦେଶ ମହାରାଜଗଂଜ ଜିଲ୍ଲାର ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ରୁଦ୍ରପୁର ଭୁରହୁଟି ଗାଁରେ ଥିବା ପ୍ରାଇମେରୀ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଯାହାକୁ ଦେଖି ସ୍କୁଲରେ ପଢ଼ୁଥିବା କୁନି କୁନି ଛୁଆ କାନ୍ଦ ପକାଇଛନ୍ତି।
ସେମାନେ ଯେତେବେଳେ ଜାଣିଲେ ତାଙ୍କ ସ୍କୁଲ ଆଉ ଖୋଲିବନି ସେତେବେଳେ ସ୍କୁଲର ଗେଟ୍ କୁ ଧରି ଭୋ ଭୋ ହୋଇ କାନ୍ଦିଛନ୍ତି ପିଲା।
ସୋମବାର ଦିନ ସକାଳର ଘଟଣା ପିଲା ସ୍କୁଲ ପୋଷାକରେ ବ୍ୟାଗ୍ କାନ୍ଧରେ ପକାଇ ସ୍କୁଲ ଆସିଥିଲେ। ସେମାନେ ସ୍କୁଲ ଗେଟ୍ ବନ୍ଦ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ସମୟ ସେହି ସ୍ଥାନରେ ରହିଲା ପରେ ପିଲାମାନେ ଜାଣିଥିଲେ କି ତାଙ୍କ ସ୍କୁଲ ଆଉ ଖୋଲିବ ନାହିଁ।
ଶିକ୍ଷକଙ୍କୁ କୁଣ୍ଡାଇ ଧରି ପିଲା କହିଥିଲେ ଆମ ସ୍କୁଲ ବନ୍ଦ କରନି ଆମେ କେଉଁଠି ପଢ଼ିବୁ। ଆଉ ଜଣେ ଦିବ୍ୟାଙ୍ଗ ଛାତ୍ରୀ କାନ୍ଦି କାନ୍ଦି କହିଥିଲେ ଏବେ ମୁଁ ଆଉ ସ୍କୁଲ ଯାଇପାରିବିନି। ନୂଆ ସ୍କୁଲ ଘର ଠାରୁ ବହୁତ ଦୂର ସେଠାକୁ ପ୍ରତିଦିନ ଯିବା ତାଙ୍କ ପାଇଁ ସମସ୍ୟା ହେବ। ଏହା ଶୁଣି ଅଭିଭାବକ ମଧ୍ୟ କାନ୍ଦି ପକାଇଥିଲେ।
ରିପୋର୍ଟ ଅନୁସାରେ, ଏହି ଗାଁର ସ୍କୁଲକୁ ଏବେ ନିକଟସ୍ଥ କସ୍ତୁରିଥାନ ଗାଁର ସ୍କୁଲ ସହିତ ମିଶେଇ ଦିଆଯାଇଛି। କିନ୍ତୁ ସେହି ସ୍କୁଲରେ ଶୌଚାଳୟର ବ୍ୟବସ୍ଥା ନାହିଁ କି ଦିବ୍ୟାଙ୍ଗ ଛାତ୍ରମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସୁବିଧା ଅଛି। ଗାଁ ଲୋକ ଏବଂ ପିଲାମାନେ ସ୍ପଷ୍ଟ ଭାବରେ କହୁଛନ୍ତି – ଯେପର୍ଯ୍ୟନ୍ତ ନୂତନ ସ୍କୁଲରେ ସମସ୍ତ ସୁବିଧା ଉପଲବ୍ଧ ନହୁଏ, ସେପର୍ଯ୍ୟନ୍ତ ପୁରୁଣା ସ୍କୁଲଟିକୁ ପୁଣି ଥରେ ଖୋଲିବା ଉଚିତ।