fbpx

ଆଖିରେ ଲୁହ, ମନରେ କୋହ… ପ୍ରଧାନଶିକ୍ଷକଙ୍କୁ କାନ୍ଦି କାନ୍ଦି ବିଦାୟ ଦେଲେ ଛାତ୍ରଛାତ୍ରୀ

ରସୁଲପୁର: ଯାଜପୁର ରସୁଲପୁର ଅନ୍ତର୍ଗତ ତୋରଡ଼ ଉଚ୍ଚ ବିଦ୍ୟାଳୟରେ ଜନ ସମାଗମ ଦେଖିବାକୁ ମିଳିଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ମଦନ ମୋହନ ସାହୁ ମହୋଦୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛି ତୋରଡ଼ ଉଚ୍ଚ ବିଦ୍ୟାଳୟ । ୩୧ ବର୍ଷର ଶିକ୍ଷକତା ପରେ ସେ ଆଜି ବିଦାୟ ନେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରସୁଲପୁର ବିଇଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ନିକଟସ୍ଥ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି । ତେବେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସାହୁଙ୍କ ଏହି ବିଦାୟ ଉତ୍ସବକୁ ସ୍ମରଣୀୟ କରାଇଛନ୍ତି ବିଦ୍ୟାଳୟର ସମସ୍ତ ପୁରାତନ ଛାତ୍ରଛାତ୍ରୀ ।

ତୋରଡ଼ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୧ ବର୍ଷରୁ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ତୁଲାଇବା ପରେ ଆଜି ଅବସର ଗ୍ରହଣ କରିଛନ୍ତି ଶ୍ରୀଯୁକ୍ତ ମଦନ ମୋହନ ସାହୁ । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅନେକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଅତିଥି ଭାବରେ ସାମିଲ ହେବା ସହ କାର୍ଯ୍ୟକାଳର ଶେଷ ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କାର୍ଯ୍ୟକ୍ରମରେ ସ୍କୁଲର ପିଲାମାନଙ୍କ ଦ୍ୱାରା ସୂର୍ଯ୍ୟ ନମସ୍କାର ସହିତ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ମୁଖ୍ୟବକ୍ତା ଦାୟିତ୍ୱବାନ୍ କାର୍ଯ୍ୟ ଏବଂ ପିଲାମାନଙ୍କୁ ଶୃଙ୍ଖଳା ସହିତ ବିଦ୍ୟାଳୟକୁ ସଫଳତାର ଶିଖରରେ ପହଞ୍ଚାଇବା ପାଇଁ ଶ୍ରୀଯୁକ୍ତ ସାହୁଙ୍କ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ଅତିଥି ମଧ୍ୟ କୋହଭରା ସ୍ୱରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିଦ୍ୟାଳୟରୁ ଶିକ୍ଷା ଶେଷ କରି ସାରିଥିବା ପୁରାତନ ଛାତ୍ରଛାତ୍ରୀ ମଧ୍ୟ ସେମାନଙ୍କ ଜୀବନରେ ଶ୍ରଯୁକ୍ତ ସାହୁଙ୍କ ଭୂମିକା ଏବଂ ସ୍କୁଲରେ ବିତାଇଥିବା ପୁରୁଣା ସ୍ମୃତିକୁ ମନେ ପକାଇଥିଲେ । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ନିରଞ୍ଜନ ଶତପଥୀ ମଞ୍ଚ ପରିଚାଳନା କରିଥିଲେ ।

ପ୍ରଧାନଶିକ୍ଷକଙ୍କ ଅବସରରେ ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟାନ୍ୟ ଶିକ୍ଷକ-ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଭାବ ବିଭୋର ହୋଇଯାଇଥିଲେ । ମଞ୍ଚରେ ସମ୍ବର୍ଦ୍ଧନା ଜଣାଇବା ପରେ ଶହ ଶହ ଛାତ୍ରଛାତ୍ରୀଙ୍କ ମେଳରେ ଏକ ବିଶାଳ ଶୋଭାଯାତ୍ରା କରି ଶ୍ରୀଯୁକ୍ତ ସାହୁଙ୍କୁ ନଗର ପରିଭ୍ରମଣ କରାଯାଇଇଥିଲା । ଏହି ପରିଭ୍ରମଣ ସମୟରେ ୫ ଖଣ୍ଡ ଗ୍ରାମ ବୁଲି ଶ୍ରୀଯୁକ୍ତ ସାହୁ ନିଜ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କ ପାଖରୁ ମଧ୍ୟ ବିଦାୟ ନେଇଛନ୍ତି । ଏହାପରେ ବିଦ୍ୟାଳୟର ଶତାଧିକ ପୁରାତନ ଛାତ୍ରଛାତ୍ରୀ ଏକ ବିଶାଳ ବାଇକ ଶୋଭାଯାତ୍ରାରେ ଶ୍ରୀଯୁକ୍ତ ମଦନ ମୋହନ ସାହୁ ମହୋଦୟଙ୍କୁ ନେଇ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ ।

ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିଦୁଭୂଷଣ ସାହୁ ଏବଂ ଶ୍ରୀଯୁକ୍ତ ସତ୍ୟାନନ୍ଦ ଗୁଇଁଙ୍କ ସମେତ ଶ୍ରୀଯୁକ୍ତ ସିଦେ୍ଧଶ୍ୱର ମହାନ୍ତି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦେବତା, ଶ୍ରୀଯୁକ୍ତ ବିଦୁଭୂଷଣ ବିନ୍ଧାଣୀ, ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଶ୍ରୀମତି ମଞ୍ଜୁଶ୍ରୀ ଜେନା ଏବଂ ଶ୍ରୀଯୁକ୍ତ ଧିରେନ୍ଦ୍ର ଭାରତୀ ଏହି ଉତ୍ସବର ପ୍ରମୁଖ ଦାୟିତ୍ୱରେ ରହିଥିଲେ । ତେବେ ପୁରାତନ ଛାତ୍ରଛାତ୍ରୀଙ୍କ ତତ୍ତ୍ୱାବଧାନରେ ଏବଂ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କ ଚେଷ୍ଟାରେ ପ୍ରଧାନଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ସମ୍ଭବ ହୋଇପାରିଛି ।

ତେବେ ପ୍ରଧାନଶିକ୍ଷକଙ୍କ ଅବସର ସମ୍ବର୍ଦ୍ଧନା ଛାତ୍ରଛାତ୍ରୀଙ୍କ ଆଖିରେ ଲୁହ ଭରି ଦେଇଥିଲା । ଛାତ୍ରଛାତ୍ରୀଙ୍କ ସମେତ ଶ୍ରୀଯୁକ୍ତ ସାହୁଙ୍କ ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ନିଜ ଆଖିର ଲୁହକୁ ସମ୍ଭାଳି ପାରି ନଥିଲେ । ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ନେହରେ ବାନ୍ଧି ରଖିବା ସମୟରେ ଶ୍ରୀଯୁକ୍ତ ସାହୁ ପିଲାମାନଙ୍କ ଅଭିଭାବକ ମାନଙ୍କର ମଧ୍ୟ ପ୍ରିୟ ହୋଇପାରିଛନ୍ତି । ତେଣୁ ତାଙ୍କ ଅବସର ସମସ୍ତଙ୍କ ମନରେ କୋହ ଭରି ଦେଇଛି ।

Get real time updates directly on you device, subscribe now.