fbpx

Video; ସ୍ପେସ୍ ୱାକ୍ କରି ଇତିହାସ ରଚିଲେ ଜାରେଡ୍ ଆଇଜାକ୍ମ୍ୟାନ୍, ସାମ୍ନାକୁ ଆସିଲା ମହାକାଶର ଭିଡିଓ

ନୂଆଦିଲ୍ଲୀ: ସ୍ପେସ୍ ୱାକ୍ କରି ଇତିହାସ ରଚିଛନ୍ତି ଜାରେଡ୍ ଆଇଜାକ୍ମ୍ୟାନ୍। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସ୍ପେସ୍ ୱାକ୍ ରେ ଅଣ-ପେସାଦାର ମହାକାଶଚାରୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏଥିରେ ବେସାମରିକ ମହାକାଶଚାରୀମାନେ ମଧ୍ୟ ଫିନଟେକ୍ କୋଟିପତି ଜାରେଡ୍ ଆଇଜାକ୍ମ୍ୟାନଙ୍କ ନେତୃତ୍ୱରେ ସ୍ପେସ୍ ଏକ୍ସ ପୋଲାରିସ୍ ଡନ୍ ଅଭିଯାନରେ ଅଂଶଗ୍ରହଣ କରିଥିଲେ।

ଏହା ପ୍ରାୟ ୧୪୦୦ କିଲୋମିଟର ଉଚ୍ଚତା ହାସଲ କରିଥିଲା, ଯାହା କି ଆଇଏସଏସ ଠାରୁ ପ୍ରାୟ ତିନି ଗୁଣ ଅଧିକ। ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ମଙ୍ଗଳବାର ସ୍ପେସ୍ ଏକ୍ସ ପୋଲାରିସ ଡନ୍ ଅଭିଯାନ ଉତକ୍ଷେପଣ କରାଯାଇଛି। ସ୍ପେସ୍ ଏକ୍ସ ସହ ମିଶି ଆଇଜାକ୍ମ୍ୟାନ୍ ପୃଥିବୀଠାରୁ ଶହ ଶହ ମାଇଲ ଉଚ୍ଚରେ ଏହି ଅତ୍ୟନ୍ତ ସାହସିକ କାର୍ଯ୍ୟ କରିଥିଲେ। ଯାହାର ଏକ ଭିଡିଓ ସ୍ପେସ୍ ଏକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ସେୟାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଜାରେଡ୍ ଆଇଜାକ୍ମ୍ୟାନ୍ ଓ ତାଙ୍କ ଟିମ୍ ହ୍ୟାଚ୍ ଖୋଲିବା ପୂର୍ବରୁ କ୍ୟାପସୁଲର ଚାପ କମିବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ଏହି ସମୟରେ ଟିମ୍ ର ୪ ଜଣ ବ୍ୟକ୍ତି ସ୍ପେସ୍ ଏକ୍ସର ନୂଆ ସ୍ପେସ୍ ଓ୍ଵାକିଂ ସୁଟ୍ ପିନ୍ଧି ଶୂନ୍ୟସ୍ଥାନରୁ ନିଜକୁ ରକ୍ଷା କରୁଥିଲେ। ଏହି ସ୍ପେସ୍ ଓ୍ଵାକିଂ ପରୀକ୍ଷା ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା, ଯେଉଁଥିରେ ଚାଲିବା ଅପେକ୍ଷା ଅଧିକ ଷ୍ଟ୍ରେଚିଂ କରାଯାଇଥିଲା।

ହାତ ଗୋଡ଼ ଯୋଡ଼ି ସେ ଦେଖିବାକୁ ଚାହୁଁଥିଲେ ନୂଆ ସ୍ପେସ୍ ସୁଟ୍ କେମିତି। ଏହି ହ୍ୟାଚ୍ ରେ ସାହାଯ୍ୟ ପାଇଁ ୱାକର ଭଳି ଢାଞ୍ଚା ମଧ୍ୟ ରହିଥିଲା। ଯେତେବେଳେ ବି କୌଣସି ମହାକାଶଚାରୀ ମହାକାଶରେ କୌଣସି ଯାନରୁ ବାହାରକୁ ଯାଆନ୍ତି, ତାକୁ ସ୍ପେସ୍ ୱାକ୍ କୁହାଯାଏ । ସ୍ପେସ୍ ୱାକ୍ କୁ ଇଭିଏ ଅର୍ଥାତ୍ ଏକ୍ସଟ୍ରାଭେଟିକୁଲାର ଆକ୍ଟିଭିଟି ମଧ୍ୟ କୁହାଯାଏ।

Get real time updates directly on you device, subscribe now.