ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ସକାଳୁ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଏଥିସହିତ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପାଣିପାଗ ବିଭାଗ ଅନୁଯାୟୀ, ଉଚ୍ଚ ଆଦ୍ରତା ଏବଂ ତାତି ଯୋଗୁଁ ସହରରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଆଜି ସକାଳ, ୮ଟା ୩୦ ରୁ ରାଜଧାନୀ ଭୁବନେଶ୍ୱର ରେ ତାପମାତ୍ରା ୩୩.୬ ଡ଼ିଗ୍ରୀ ଏବଂ ଆଦ୍ରତା ୬୨.୩% ରେକର୍ଡ କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଗାମୀ ଦୁଇ ଦିନ ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଲୋକେ ଅସହ୍ୟ ଗରମ ଯୋଗୁଁ ଘରୁ ବାହାରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣିପାଗ ବିଭାଗ ନାଗରିକମାନଙ୍କୁ ପର୍ଯ୍ୟାପ୍ତ ପାଣି ପିଇବା, ହାଲୁକା ପୋଷାକ ପରିଧାନ କରିବା ଏବଂ ମଧ୍ୟାହ୍ନ ସମୟରେ ସିଧା ସୂର୍ଯ୍ୟକିରଣରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।
ତାତିରୁ ଆଶ୍ୱସ୍ତି ପାଇବା ପାଇଁ ସହରର ଅନେକ ଅଞ୍ଚଳରେ ଲୋକମାନେ ପାଣି, ଲସି ଓ ଅନ୍ୟାନ୍ୟ ପାନୀୟ ଦ୍ରବ୍ୟରେ ଆଶ୍ରୟ ନେଉଛନ୍ତି। ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଆଗକୁ କାଳବୈଶାଖୀ ବର୍ଷା ଆଶ୍ବସ୍ତି ଆଣିଦେବ।