24 ଘଣ୍ଟାରେ ବଦଳିବ ପାଗ : 3ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି, ହନ୍ତସନ୍ତ ହେବେ ରାଜ୍ୟବାସୀ

ତାତିରୁ ମିଳିବନି ତ୍ରାହି । ଆହୁରି ବଢ଼ିବ ତାପମାତ୍ରା ।

ଭୁବନେଶ୍ବର: ବର୍ତ୍ତମାନ ସମୟରେ ରାଜ୍ୟର ତାପମାତ୍ରା 35 ଡିଗ୍ରୀ ଉପରେ ରହୁଥିବା ବେଳେ କଲବଲ ହେଉଛନ୍ତି ଓଡ଼ିଶା ବାସୀ । ଏହାରି ଭିତରେ ପାଣିପାଗ ବିଭାଗ ପକ୍ଷରୁ ଆଉ ଏକ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା 24ଘଣ୍ଟା ମଧ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ତାପମାତ୍ରା 3ରୁ 4 ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ଆସନ୍ତା 9 ତାରିଖରୁ ପଶ୍ଚିମା ଝଡ଼ ଉତ୍ତର ପଶ୍ଚିମା ଭାରତକୁ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଫଳରେ ଥଣ୍ଡା ପବନ ପ୍ରଭାବ କମିବା ସହିତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ବର୍ତ୍ତମାନ ସମୟରେ ତାପମାତ୍ରା 35, 36 ଡିଗ୍ରୀ ରହୁଥୁବା ବେଳେ ଆଉ 4 ଡିଗ୍ରୀ ବୃଦ୍ଧି ପାଇଲେ ତାପମାତ୍ରା 40 ଛୁଇଁବ । ତେବେ ପାଣିପାଗ ବିଭାଗର ଏହି ଆକଳନ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ପ୍ରଚଣ୍ଡ ଖରା ତେଜରେ ସିଝିବ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା। ଝାରସୁଗୁଡାରେ ତାପମାତ୍ରା 39 ଡିଗ୍ରୀ ରହୁଥିବା ବେଳେ ଆଗକୁ କଣ ହେବ ତାହା ଏବେଠୁ ଅନୁମେୟ ।