fbpx

ବାପାଙ୍କ ଲାପଟପରୁ ପ୍ରଧାନମନ୍ତ୍ରୀଙ୍କୁ ଇ-ମେଲ୍ ପଠାଇଲା ୧୦ ବର୍ଷୀୟା ବାଳିକା, ଆଉ ତା’ପରେ….

ନୂଆଦିଲ୍ଲୀ: ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ କିଏ ବା ନ ଚାହିଁବ । ସଂସଦ ଭବନ ଦେଖିବା ସହ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଗୋଟିଏ ୧୦ ବର୍ଷୀୟା ବାଳିକା ମଧ୍ୟ ଏପରି ଏକ ସ୍ୱପ୍ନ ଦେଖିଥିଲା । ଏହି ବାଳିକାଟିର ନାମ ହେଉଛି ଅନିଶା ପାଟିଲ । ଅନିଶାଙ୍କ ପିତା ଡକ୍ଟର ସୁଜୟ ଭିଖେ ପାଟିଲ ଅହମ୍ମଦନଗରର ସାଂସଦ ଥିବା ବେଳେ ଜେଜେ ରାଧାକୃଷ୍ଣ ଭିଖେ ପାଟିଲ ମହାରାଷ୍ଟ୍ରର ଜଣେ ବରିଷ୍ଠ ନେତା ଅଟନ୍ତି । ଅନିଶା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ବ୍ୟାକୁଳ ହେଉଥିଲା । ସେଥିପାଇଁ ସେ ନିଜ ବାପାଙ୍କୁ ଏ ବିଷୟରେ କହିଥିଲା । ମାତ୍ର ପ୍ରଧାନମନ୍ତ୍ରୀ ବହୁତ ବ୍ୟସ୍ତ ରହୁଥିବାର ତାଙ୍କୁ ଭେଟିବା ଏତେ ସହଜ ନୁହେଁ ବୋଲି ତାଙ୍କର ବାପା କହିଥିଲେ ।

ତେବେ ଅନ୍ୟ ଉପାୟ ନପାଇ ଅନିଶା ନିଜ ବାପାଙ୍କ ଲାପଟପରୁ ପ୍ରଧାନମନ୍ତ୍ରୀଙ୍କୁ ଏକ ଇ-ମେଲ୍ ପଠାଇଥିଲା । ଇ-ମେଲରେ ଲେଖାଥିଲା- ‘Hello Sir, I am Anisha and I want to really come and meet you.’ ଏହାର କିଛିଦିନ ପରେ ଇ-ମେଲର ଜବାବ ଆସିବା ପରେ ଅନିଶାଙ୍କୁ ନିଜର ସ୍ୱପ୍ନ ପୂରଣ ହେବା ଭଳି ଲାଗିଥିଲା । ଏହାପରେ ଅନିଶା ପିତାଙ୍କ ସହ ସଂସଦରେ ପହଞ୍ଚିବା ସହ ପ୍ରଧାନମନ୍ତ୍ରୀଙ୍କ ସହ ୧୦ ମିନିଟ୍ ଧରି ଖେଳ, ଶିକ୍ଷା ଓ ବ୍ୟକ୍ତିଗତ ଅଭ୍ୟାସ ବିଷୟରେ କଥା ହୋଇଥିଲେ । ଅନିଶାଙ୍କ ମନରେ ଯେତେ ପ୍ରଶ୍ନ ଥିଲା ସବୁ ସେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ । ‘ଆପଣ ଏଠାରେ ବସନ୍ତି? ଏଇଟା କ’ଣ ଆପଣଙ୍କର ଅଫିସ? ଏହି ଅଫିସ୍ ଏତେ ବଡ଼? ଆପଣ କ’ଣ ଗୁଜରାଟରୁ ଆସିଛନ୍ତି, ଆପଣ କେବେ ରାଷ୍ଟ୍ରପତି ହେବେ?’ ପ୍ରଧାନମନ୍ତ୍ରୀ ଅନିଶାଙ୍କ ପ୍ରଶ୍ନର ଉତ୍ତର ଦେବା ସହ ହସିଥିଲେ ।

Get real time updates directly on you device, subscribe now.