fbpx

ବଢ଼ୁଛି ଭିନେଶ ଫୋଗାଟଙ୍କ ଅଡ଼ୁଆ, ୧୪ ଦିନ ଭିତରେ ଉତ୍ତର ରଖିବାକୁ ନୋଟିସ୍ ଜାରି କଲା NADA

ନୂଆଦିଲ୍ଲୀ: ଭାରତର ପୂର୍ବତନ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ । ବର୍ତ୍ତମାନ ସେ ହରିୟାଣା ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ପରେ ଭିନେଶ କୁସ୍ତିରୁ ଅବସର ଘୋଷଣା କରିଥିଲେ । ଏହା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଏଥିମଧ୍ୟରେ ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି(NADA) ପକ୍ଷରୁ ଭିନେଶଙ୍କୁ ସେପ୍ଟେମ୍ବର ୨୫ରେ ଏକ ନୋଟିସ୍ ଜାରି କରାଯାଇଛି ଯେଉଁଥିରେ ତାଙ୍କୁ ୧୪ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି ।

NADA ପକ୍ଷରୁ ଭିନେଶଙ୍କୁ ଜାରି କରାଯାଇଥିବା ନୋଟିସରେ ଉଲ୍ଲେଖ ରହିଛି, ‘ଆଣ୍ଟି ଡୋପିଂ ନିୟମ ଅନୁଯାୟୀ ସ୍ଥାନ ସମ୍ବନ୍ଧୀୟ ସଠିକ ସୂଚନା ଦେବାରେ ବିଫଳତା ହେତୁ ଆଫିସିଆଲ ନୋଟିସ୍ ଜାରି କରାଯାଉଛି । ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ସ୍ପଷ୍ଟିକରଣ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି । ଡୋପ୍ କଣ୍ଟ୍ରୋଲ ଅଧିକାରୀଙ୍କୁ ଯାଞ୍ଚ୍ ପାଇଁ ଉକ୍ତ ସ୍ଥାନକୁ ପଠାଯାଇଥିଲା । ସେ ଆପଣଙ୍କୁ ଖୋଜିବାରେ ବିଫଳ ହୋଇଥିଲେ କାରଣ ଆପଣ ସେଠାରେ ଅନୁପସ୍ଥିତ ଥିଲେ ।’ କହିରଖୁଛୁ ସେପ୍ଟେମ୍ବର ୯ ତାରିଖରେ ଭିନେଶ ସୋନିପତର ଖରୋଦା ଗାଁରେ ଡୋପ୍ ପରୀକ୍ଷା ପାଇଁ ଅନୁପସ୍ଥିତ ଥିଲେ ।

 

Get real time updates directly on you device, subscribe now.